ଜରିମାନା ଦେଇନଥିବା ଖଣି ମାଲିକଙ୍କ ଲାଗି ସତର୍କ ଘଣ୍ଟି

ଭୁବନେଶ୍ୱର : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଜରିମାନା ପୈଠ କରିନଥିବା ଖଣି ମାଲିକଙ୍କ ପାଇଁ ସତର୍କ ଘଣ୍ଟି। ତୁରନ୍ତ ଜରିମାନା ରାଶି ପୈଠ ନକଲେ ବ୍ୟାଜାପ୍ତି ହେବ ସଂପତ୍ତି। ଖଣି ସଚିବଙ୍କ ନିର୍ଦ୍ଦେଶ ପାଇବା ପରେ ଏନେଇ ପ୍ରକ୍ରିୟା ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ। ଏନେଇ ପ୍ରଶାସନ ପକ୍ଷରୁ ନୋଟିସ ଦଆଯାଇଛି।

ଜିଲ୍ଲାପାଳଙ୍କ କୋର୍ଟରେ ହାଜର ହୋଇ ପକ୍ଷ ରଖିବାକୁ ଜରିମାନା ଖିଲାପକାରୀଙ୍କୁ କୁହାଯାଇଛି। ଜରିମାନା ଦେଇନଥିବା ଖଣି ମାଲିକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଲାଗି ପୂର୍ବରୁ ଖଣି ସଚିବ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ। ଖିଲାପକାରୀଙ୍କ ବିରୁଦ୍ଧରେ ଜିଲ୍ଲାପାଳଙ୍କ କୋର୍ଟରେ ମାମଲା ରୁଜୁ ପାଇଁ ଏଥିରେ କୁହାଯାଇଥିଲା। ତାସହିତ ଖିଲାପୀ ଖଣି ମାଲିକଙ୍କର କେଉଁଠି କେତେ ସମ୍ପତ୍ତି ଅଛି ତାର ତାଲିକା ପ୍ରସ୍ତୁତ ଲାଗି ଏକ ଟାକ୍ସ ଫୋର୍ସ ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ ଖଣି ସଚିବ। ଓଡ଼ିଶା ପବ୍ଲିକ ଡିମାଣ୍ଡସ ରିକଭରି ବା ଓପିଡିଆର୍ ଆଇନ ଅନୁଯାୟୀ ସମ୍ପତ୍ତି ବ୍ୟାଜାପ୍ତି ପାଇଁ ଏଥିରେ କୁହାଯାଇଥିଲା।

ମିଳିଥିବା ତଥ୍ୟ ଅନୁଯାୟୀ ସୁନ୍ଦରଗଡ଼ ଜିଲ୍ଲାର ୧୬ଟି ଖଣିର ୧୨ଜଣ ମାଲିକ ୭୦୯ କୋଟି ଟଙ୍କାର ଜରିମାନା ପୈଠ କରିନାହାନ୍ତି। ସେହିଭଳି କେନ୍ଦୁଝର ଜିଲ୍ଲାର ୩୧ଟି ଖଣିର ୨୩ ଜଣ ମାଲିକଙ୍କ ଉପରେ ବାକି ଅଛି ୬ ହଜାର ୩ଶହ କୋଟି ଟଙ୍କାର ଜରିମାନା। ଏସବୁ ଖଣି ମାଲିକ କାହିଁକି ଜରିମାନା ଦେଇନାହାନ୍ତି ସେନେଇ ଜିଲ୍ଲପାଳଙ୍କ କୋର୍ଟରେ ହାଜର ହୋଇ ପକ୍ଷ ରଖିବେ। ଏହାପରେ ସେମାନଙ୍କ ଠାରୁ କିପରି ଜରିମାନା ଆଦାୟ ହେବ ତାହା ଜିଲ୍ଲାପାଳ ସ୍ଥିର କରିବେ। ମାତ୍ର ଖିଲାପକାରୀ ଯଦି ଜରିମାନା ଦେବାରେ ଅସାମର୍ଥ୍ୟ ପ୍ରକାଶ କରନ୍ତି ତେବେ ସମ୍ପତ୍ତି ବ୍ୟାଜପ୍ତି ଲାଗି ପଦକ୍ଷେପ ନେବେ ଜିଲ୍ଲପାଳ।

ଯେଉଁ ଖଣି ମାଲିକମାନେ ବେଆଇନ ଉତ୍ତୋଳନ କରିଥିଲେ, ସେମାନଙ୍କ ଉପରେ ସୁପ୍ରିମକୋର୍ଟ ଜରିମାନା ଲଗାଇଥିଲେ। ଗତବର୍ଷ ଡିସେମ୍ବର ୩୧ ଶେଷ ସୁଦ୍ଧା ସମସ୍ତ ଜରିମାନା ଆଦାୟ ନେଇ ରାଜ୍ୟ ସରକାରମାନଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଜରିମାନା ଅନାଦେୟ ଖଣିମାଲିକଙ୍କ  ସଂପତ୍ତି ବ୍ୟାଜାପ୍ତି ପାଇଁ କୋର୍ଟ କହିଥିଲେ। ତେବେ ଏହାକୁ ଚ୍ୟାଲେଞ୍ଜ କରି ଖଣିମାଲିକମାନେ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରିଥିଲେ ମଧ୍ୟ ପରେ ସିଇସି ଜରିମାନା ଦେବାକୁ ପଡିବ ବୋଲି ନିଷ୍ପତ୍ତି ନେଇଥିଲେ। ସେପଟେ ସରକାରଙ୍କ ପଦକ୍ଷେପ ସଂପର୍କରେ ଖିଲାପକାରୀ ଖମିମାଲିକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

You might also like