ଫ୍ରାନ୍ସ ପିନ୍ଧିଲା ବିଶ୍ୱମୁକୁଟ: କ୍ରୋଏସିଆକୁ ୪-୨ ଗୋଲ୍ରେ ହରାଇ ହେଲା ବିଶ୍ୱବିଜୟୀ
ଭୁବନେଶ୍ୱର: କ୍ରୋଏସିଆକୁ ହରାଇ ବିଶ୍ୱକପ୍ ମୁକୁଟ ପିନ୍ଧିଲା ଫ୍ରାନ୍ସ। ସବୁ ଅଙ୍କକୁ ଭୁଲ୍ କରି ଦ୍ୱିତୀୟ ଥର ପାଇଁ ଫ୍ରାନ୍ସ ଫିଫା ବିଶ୍ୱକପ ଚାମ୍ପିୟନ ହୋଇଛି। ଫାଇନାଲ୍ ମ୍ୟାଚ୍କୁ ସମ୍ପୂର୍ଣ୍ଣ ଭାବେ ଫ୍ରାନ୍ସ ନିଜ ନିୟନ୍ତ୍ରଣରେ ରଖିଥିଲା। ଫ୍ରାନ୍ସ ଖେଳାଳିଙ୍କ ସାମ୍ନାରେ କ୍ରୋଏସିଆ ଖେଳାଳି ହାର ମାନିଥିଲେ। ପ୍ରଥମାର୍ଦ୍ଧରେ ଫ୍ରାନ୍ସ ୨-୧ରେ ଅଗ୍ରଣୀ ରହିଥିଲା। ମ୍ୟାଚ୍ର ୧୮ ମିନିଟରେ ଫ୍ରାନ୍ସ ସପକ୍ଷରେ ପ୍ରଥମ ଗୋଲ୍ ହୋଇଥିଲା। ଫ୍ରାନ୍ସ୍କୁ ମିଳିଥିବା ଫ୍ରି-କିକ୍କୁ ଅଟକାଇବାକୁ ଯାଇ କ୍ରୋଏସିଆ ଖେଳାଳି ମାଣ୍ଡୁକିଚ୍ଙ୍କ ହେଡ଼୍ରୁ ଏକ ଆତ୍ମଘାତୀ ଗୋଲ୍ ହୋଇଥିଲା। ଏହାର ୧୦ ମିନିଟ୍ ପରେ କ୍ରୋଏସିଆ ଆକର୍ଷଣୀୟ କମ୍ବ୍ୟାକ୍ କରି ଏକ ଗୋଲ୍ ସ୍କୋର୍ କରିଥିଲା। ମ୍ୟାଚ୍ର ୨୮ ମିନିଟ୍ରେ କ୍ରୋଏସିଆ ଖେଳାଳି ଇଭାନ୍ ପରିସିଚ୍ ଏହି ଗୋଲ୍ କରି ସ୍ଥିତି ବରାବର୍ କରିଥିଲେ।
ହେଲେ ପୁଣି ଏହାର ୧୦ ମିନିଟ୍ ତଥା ମ୍ୟାଚ୍ର ୩୮ ମିନିଟ୍ରେ ଏକ ପେନାଲ୍ଟି ମିଳିଥିଲା ଫ୍ରାନ୍ସକୁ। ଯାହାର ଭରପୂର ଫାଇଦା ନେଇ ଗୋଲ୍ରେ ପରିଣତ କରିଥିଲେ ଫ୍ରାନ୍ସ ଖେଳାଳି ଗ୍ରୀଜମ୍ୟାନ୍।
ପ୍ରଥାମାର୍ଦ୍ଧ ପରି ଦ୍ୱିତୀୟାର୍ଦ୍ଧରେ ମଧ୍ୟ କ୍ରୋଏସିଆ ଖେଳାଳିଙ୍କ ଉପରେ ମହଙ୍ଗା ପଡ଼ିଥିଲେ ଫ୍ରାନ୍ସ୍ ଖେଳାଳି। ମ୍ୟାଚ୍ର ୫୯ ଓ ୬୫ ମିନିଟ୍ରେ କ୍ରମାଗତ ଦୁଇଟି ଗୋଲ୍ ସ୍କୋର୍ କରି ମ୍ୟାଚ୍କୁ ନିଜ ନିୟନ୍ତ୍ରଣରେ ରଖିଥିଲା ଫ୍ରାନ୍ସ। ହେଲେ ମ୍ୟାଚ୍ରେ ୬୯ ମିନିଟ୍ରେ କ୍ରୋଏସିଆ ପକ୍ଷରୁ ମାଣ୍ଡୁକିଚ୍ ଏକ୍ ଗୋଲ୍ ସ୍କୋର୍ କରି ଗୋଲ୍ ବ୍ୟବଧାନକୁ କମାଇଥିଲେ। ଫଳରେ ମ୍ୟାଚ୍କୁ ୪-୨ ଗୋଲ୍ରେ ଫ୍ରାନ୍ସ୍ ଜିତି ବିଶ୍ୱବିଜୟୀ ହୋଇଛି।