ମାଟ୍ରିକ ରେଜଲ୍ଟ ଖରାପ ହେବ କହିବାରୁ ଝିଅକୁ ପୋଡ଼ି ମାରିବାକୁ ବାପାର ଉଦ୍ୟମ

ବାଲେଶ୍ୱର : ମାଟ୍ରିକ୍ ରେଜଲ୍ଟ ଖରାପ ହୋଇପାରେ ବୋଲି ଆଶଙ୍କା କରି ବାପାଙ୍କୁ ସତ କଥା କହିବାରୁ ଜଣେ ନାବାଳିକାକୁ ବାପାର ଆକ୍ରୋଶର ଶିକାର ହେବାକୁ ପଡିଛି। ବାପା ବର୍ବରତାର ସୀମା ଟପି ନିଜ ଝିଅକୁ ପୋଡି ମାରିଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ଆସିଛି। ଘଟଣାଟି ବାଲେଶ୍ୱର ଜିଲ୍ଲା ନୀଳଗିରି ଜାମ୍ବୁଡିହା ଗାଁର।

ସୂଚନା ଅନୁଯାୟୀ ଏହି ଗାଁର ଶତ୍ରୁଜିତ ମହାନ୍ତି ନାମକ ଜଣେ ବ୍ୟକ୍ତି ମାଟ୍ରିକ ପରୀକ୍ଷା ଦେଇଥିବା ନିଜ ଝିଅ ମାନସୀଙ୍କୁ ପରୀକ୍ଷା ସମ୍ପର୍କରେ ପଚାରିଥିଲେ। ତେବେ ମାନସୀ ଗୋଟିଏ ଦୁଇଟି ବିଷୟ ଖରାପ ହେବାର ଆଶଙ୍କା ଥିବା ବାପାଙ୍କୁ କହିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଶତ୍ରୁଜିତ ତାଙ୍କୁ ମାର୍‌ପିଟ୍ କରିବା ସହ ଏକ ଘରେ ତାଙ୍କୁ ବନ୍ଦ କରି ଘର ଉପରେ କିରୋସିନ ଢାଳି ଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି ମାନସୀ।

ଘରୁ ଗୋଡ଼ କାଢ଼ିଲେ ନିଆଁ ଲଗାଇଦେବେ ବୋଲି ତାଙ୍କ ବାପା ଧମକ ମଧ୍ୟ ଦେଇଥିବା ମାନସୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ପଡୋଶୀଙ୍କ ଠାରୁ ଖବର ପାଇ ନୀଳଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାନସୀଙ୍କୁ ଉଦ୍ଧାର କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

 

You might also like