ବରଗଡ଼ ଜିଲ୍ଲାରେ ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ
ବରଗଡ଼ : ଦୀର୍ଘ ଦିନର ବ୍ୟବଧାନ ପରେ ବରଗଡ଼ ଜିଲ୍ଲାରେ ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ। ମୃତ ଚାଷୀଙ୍କ ନାଁ ଶେଷଦେବ ସାହା। ଘର ଅମ୍ବାଭୋନା ବ୍ଲକ ଚିଚୋଲି ଗାଁରେ। ସେ ନିଜର ୩ ଏକର ଜମିରେ ଧାନ ଚାଷ କରିଥିଲେ। ଏଥିପାଇଁ ଷ୍ଟେଟ୍ ବ୍ୟାଙ୍କରୁ ୪୦ ହଜାର ଏବଂ ଏକ୍ସିସ୍ ବ୍ୟାଙ୍କରୁ ୧୮ ହଜାର ଟଙ୍କାର ଋଣ ସହ ହାତ ଉଧାରି ବାବଦକୁ ବିଭିନ୍ନ ଲୋକଙ୍କ ଠାରୁ ୩୦ ହଜାର ଟଙ୍କା ନେଇଥିଲେ। କିନ୍ତୁ ବର୍ଷା ଅଭାବରୁ ଫସଲ ଉଜୁଡ଼ିଯିବା ପରଠୁ ସେ କେମିତି ଋଣ ସୁଝିବେ, ସେନେଇ ମାନସିକ ଚାପରେ ଥିଲେ।
ଶେଷରେ ସେ ଆଜି ସକାଳେ ନିଜ ଜମିରେ କୀଟନାଶକ ପିଇଦେଇଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ତାଙ୍କୁ ବରଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ହେଁ, ତାଙ୍କର ମୃତ୍ୟୁ ହୋଇଯାଇଛି। ତେବେ ଏନେଇ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନି।