ଜାଲ୍‌ ନୋଟ୍‌ ରାକେଟ୍‌ର ପର୍ଦ୍ଦାଫାସ୍‌

ଭୁବନେଶ୍ୱର: ଜାଲ୍ ନୋଟ୍ କାରବାରକୁ ନେଇ ଏକ ଗ୍ୟାଙ୍ଗର ପର୍ଦ୍ଦାଫାସ୍‌ ହୋଇଛି। ବ୍ରହ୍ମପୁର ଅଞ୍ଚଳରୁ କମିଶନରେଟ୍‌ ପୋଲିସର କ୍ୱିକ୍‌ ଆକ୍ସନ୍ ଟିମ୍ ଏକ ଜାଲ୍ ନୋଟ୍ ଛାପା କାରଖାନାକୁ ଠାବ କରିଛନ୍ତି। ଏହି ଘଟଣାରେ ପୋଲିସ ମାଷ୍ଟରମାଇଣ୍ଡ ସମେତ ୫ଜଣଙ୍କୁ ଗିରଫ କରିଛି।

ପ୍ରାୟ ସାଢ଼େ ୪ ଲକ୍ଷରୁ ଅଧିକ ଜାଲ୍ ନୋଟ୍ ଜବତ ହୋଇଛି। ଏଥିରେ ୨ ହଜାର, ପାଞ୍ଚ ଶହ, ଦୁଇ ଶହ ଏବଂ ପଚାଶ ଟଙ୍କା ଜାଲ୍ ନୋଟ୍ ରହିଛି।

ପ୍ରଥମେ ଭୁବନେଶ୍ୱରର ତମାଣ୍ଡୋ ପୋଲିସ ଦ୍ୱାରା ଜାଲ୍ ନୋଟ୍ କାରବାର ନେଇ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା। ଏହି ଘଟଣାକୁ ନେଇ ତଦନ୍ତ କରାଯିବା ପରେ ନକଲି ନୋଟ୍ ଛାପା କାରଖାନା ସମ୍ପର୍କରେ ପୋଲିସ ଜାଣିବାକୁ ପାଇଥିଲା।

ବ୍ରହ୍ମପୁରର ଏହି କାରଖାନା ଉପରେ ତମାଣ୍ଡୋ ପୋଲିସ ଏବଂ QATର ଚଢ଼ାଉ ପରେ ମାଷ୍ଟର ମାଇଣ୍ଡ ରାମେଶ୍ୱର ମହାରଣା ଗିରଫ ହୋଇଛି।

ନୋଟ୍ ଛାପିବା ପାଇଁ ବ୍ୟବହୃତ ପ୍ରିଣ୍ଟର୍, କଲର୍‌ ଏବଂ ସ୍ୱତନ୍ତ୍ର କାଗଜ ଜବତ ମଧ୍ୟ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଏହି ଜାଲ୍ ନୋଟ୍ ଗୁଡ଼ିକୁ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ବ୍ୟବହାର କରାଯାଉଥିଲା। ବ୍ରାଉନ୍‌ସୁଗାର, ହନୁମାନ ପଇସା ଏବଂ ବିରଳ ବନ୍ୟଜନ୍ତୁ କିଣା ବିକାରେ ଏହି ଜାଲ୍ ନୋଟ୍‌କୁ ବ୍ୟବହାର କରାଯାଉଥିଲା। ତେବେ ବଜାରକୁ କେତେ ଜାଲ୍ ନୋଟ୍ ଛଡ଼ା ଯାଇଛି ସେ ନେଇ ତଦନ୍ତ ଜାରି ରହିଛି।

You might also like