ବ୍ୟାଙ୍କ ଛୁଟି ନେଇ ସୋଶାଲ୍‌ ମିଡିଆ ଖବରରେ ସତ୍ୟତା କେତେ…ପଢ଼ନ୍ତୁ

ନୂଆଦିଲ୍ଲୀ/ଭୁବନେଶ୍ୱର: ବ୍ୟାଙ୍କ୍‌ ବନ୍ଦ ହେବା ଖବର ନେଇ ଗତ କିଛିଦିନ ହେଲା ସୋଶାଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଛୁଟିଦିନ ଓ ବ୍ୟାଙ୍କ୍‌ କର୍ମଚାରୀଙ୍କ ଧାରଣା ଯୋଗୁଁ ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହ ତଥା ୬ ଦିନ କାଳ ଦେଶର ବିଭିନ୍ନ ସ୍ଥାନରେ ବ୍ୟାଙ୍କ୍‌ ବନ୍ଦ ରହିବ ବୋଲି ସୋଶାଲ୍‌ ମିଡିଆରେ ଚର୍ଚ୍ଚା ଚାଲିଛି। ଏପରିକି ଏସମ୍ପର୍କିତ ଖବରକୁ ନେଇ ସୋଶାଲ୍‌ ମିଡିଆରେ ଏକ ମେସେଜ୍‌ ମଧ୍ୟ ଘୁରି ବୁଲୁଛି।

ଖାଲି ସେତିକି ନୁହେଁ ବ୍ୟାଙ୍କ୍‌ ବନ୍ଦ ଯୋଗୁଁ ଏଟିଏମ୍‌ରେ ଟଙ୍କା ଉଠାଇବାରେ ମଧ୍ୟ ଅସୁବିଧା ହେବବୋଲି ଚର୍ଚ୍ଚା ହେଉଛି। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଭୟ ସୃଷ୍ଟି ହୋଇଛି।

କିନ୍ତୁ ସତ ହେଉଛି ଏମିତି

ସେପ୍ଟେମ୍ବର ୧ ତାରିଖ ଶନିବାର ବ୍ୟାଙ୍କର କାର୍ଯ୍ୟ ଦିବସ। ସେପ୍ଟେମ୍ବର ୨ ତାରିଖ ରବିବାର ସ୍ୱାଭାବିକ ଛୁଟି। ୩ ତାରିଖ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ଉତ୍ତର ଭାରତରେ, ଓଡ଼ିଶାରେ ନୁହେଁ। ଓଡ଼ିଶାରେ ଜନ୍ମାଷ୍ଟମୀ ୨ ତାରିଖ ରବିବାର ପଡୁଛି। ତେଣୁ ୩ ତାରିଖ ବ୍ୟାଙ୍କ ଛୁଟି ନୁହେଁ।

ଆର୍‌ବିଆଇ କର୍ମଚାରୀ ପ୍ରୋଭିଡେଣ୍ଟ୍‌ ଫଣ୍ଡ୍‌ ଓ ପେନ୍‌ସନ୍‌ ଭଳି ଦାବିକୁ ନେଇ ସେପ୍ଟେମ୍ବର ୪ ଓ ୫ରେ ସାମୂହିକ ଛୁଟିରେ ଯିବେ। ରାଷ୍ଟ୍ରାୟତ ଓ  ଘରୋଇ ବ୍ୟାଙ୍କ୍‌ ଉପରେ ଏହାର କୌଣସି ପ୍ରଭାବ ପକାଇବ ନାହିଁ ବୋଲି ନ୍ୟାସନାଲ୍‌ ଅର୍ଗାନାଇଜେସନ୍ ଅଫ୍‌ ବ୍ୟାଙ୍କ ୱାର୍କର୍ସ (NOBW)ର ଉପସଭାପତି ଅଶ୍ୱିନୀ ରାଣା କହିଛନ୍ତି । ତେଣୁ ୪ ଓ ୫ ବ୍ୟାଙ୍କ ଖୋଲା ରହିବ।

ସେପ୍ଟେମ୍ବର ୬ ଓ ୭ ବ୍ୟାଙ୍କର କାର୍ଯ୍ୟଦିବସ। କେବଳ ୮ ତାରିଖ ଦ୍ୱିତୀୟ ଶନିବାର ହୋଇଥିବାରୁ ବ୍ୟାଙ୍କ ଛୁଟି ରହିବ। ତେଣୁ ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ।

You might also like