ଜବରଦଖଲକାରୀଙ୍କ କବ୍‌ଜାରେ ବାରିପଦା ସହର

ବାରିପଦା: ଜବରଦଖଲକାରୀଙ୍କ କବ୍‌ଜାରେ ବାରିପଦା ସହର। ସହରର ରାସ୍ତା କଡ଼ରେ ଉଠା ଦୋକାନୀଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳୁଛି। ଏଥିସହ ରାସ୍ତା କଡ଼ରେ ବେଆଇନ ପାର୍କିଂ ଲୋକଙ୍କୁ ଅସୁବିଧାରେ ପକାଉଛି। ଫଳରେ ଟ୍ରାଫିକ ସମସ୍ୟା ଲୋକଙ୍କ ଦୈନନ୍ଦୀନ ଜୀବନକୁ ବେଶ୍‌ ପ୍ରଭାବିତ କରିଛି।

ରାସ୍ତାର ଉଭୟ ପାର୍ଶ୍ୱରେ ଉଠାଦୋକାନୀ ଆଉ ରାସ୍ତାର ଉପରେ ଥିବା ବିଭିନ୍ନ ଛୋଟ ବଡ଼ ଦୋକାନ ରାସ୍ତାକୁ ବେଆଇନ ଭାବେ କବ୍‌ଜା କରିବା ଦ୍ୱାରା ରାସ୍ତା ସଙ୍କୁଚିତ ହେବାରେ ଲାଗିଛି। ଫଳରେ ଲୋକଙ୍କୁ ନାହିଁ ନଥିବା ହଇରାଣ ହେବାକୁ ପଡ଼ୁଛି। ଦିନକୁ ଦିନ ଲୋକ ସଂଖ୍ୟା ବିଢିବାରେ ଲାଗିଛି। ଫଳରେ ଦୈନନ୍ଦୀନ ଜୀବନରେ ଜନସାଧାରଣ ପ୍ରଭାବିତ ହେଉଛନ୍ତି।

ସେପଟେ ଲୋକଙ୍କୁ ନାକେଦମ୍‌ କରିଛି ବେଆଇନ ପାର୍କିଂ ବ୍ୟବସ୍ଥା। ଯେଉଁଠି ଦେଖିବ ରାସ୍ତା କ଼ଡରେ ଗାଡି ପାର୍କିଂ କରାଯାଉଛି।  ଆଉ ଏଥିପାଇଁ ସ୍ଥାନୀୟ ବାସିନ୍ଦା ସପିଂ ମଲ ଏବଂ ପ୍ରଶାସନକୁ ଦୋଷ ଦେଇଛନ୍ତି। ସହରରେ ଥିବା ବିଭିନ୍ନ ସପିଂ ମଲ ସହ ସରକାରୀ ଏବଂ ବେସରକାରୀ ସଂସ୍ଥାରେ ପାର୍କିଂ ବ୍ୟବସ୍ଥା ରହୁନଥିବାରୁ ରାସ୍ତାର ଉଭୟ ପାର୍ଶ୍ୱରେ ସାଧାରଣ ଲୋକ ଗାଡି ରଖୁଛନ୍ତି । ଫଳରେ ଅନେକ ସମୟରେ ସହରରେ ଟ୍ରାଫିକ ସମସ୍ୟା ଦେଖାଦେଉଛି।

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ବାରିପଦା ପୌରପାଳିକା ଅଧ୍ୟକ୍ଷା ନିଜର ପ୍ରତିକ୍ରିୟ ରଖିଛନ୍ତି। ଟ୍ରାଫିକ୍ ସମସ୍ୟା ଏବଂ ରାସ୍ତା ଜବର ଦଖଲକାରୀଙ୍କୁ ଉଠାଇବା ପାଇଁ ବ୍ୟବସ୍ଥା କରାଯାଉଥିବା ସେ କହିଛନ୍ତି।

ଆଗକୁ ବାରିପଦାର ପ୍ରସିଦ୍ଧ ରଥଯାତ୍ରା ହେବାକୁ ଥିବାବେଳେ ରଥଯାତ୍ରା ପୂର୍ବରୁ ଏହାର ସମାଧାନ କରିବା ପାଇଁ ସାଧାରଣରେ ବାଦି ଜୋର ଧରିଛି।

You might also like