ଡୁପ୍ଲିକେଟ୍ ଚାବିକୁ ନେଇ ଅକଳରେ ଶ୍ରୀମନ୍ଦିର ପ୍ରଶାସନ

ଭୁବନେଶ୍ୱର : ରତ୍ନଭଣ୍ଡାରର ଡୁପ୍ଲିକେଟ୍ ଚାବି ଆସିଲା କେଉଁଠୁ ? ଟ୍ରେଜେରୀରେ ରହିବା ଚାବି ରେକର୍ଡ ରୁମକୁ ଗଲା କିପରି ? କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ଉଙ୍କି ମାରୁଛି ଅନେକ ପ୍ରଶ୍ନ ଏଭଳି ସ୍ଥିତିରେ ରତ୍ନଭଣ୍ଡାରର ଡୁପ୍ଲିକେଟ୍ ଚାବି ନଥାଏ ବୋଲି ଗୁମର ଖୋଲିଛନ୍ତି ଶ୍ରୀମନ୍ଦିରର ପୂର୍ବତନ ସହ ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ର। ଶେଷ ଥର ପାଇଁ ୧୯୮୫ ମସିହାରେ ରତ୍ନଭଣ୍ଡାର ଖୋଲା ଯାଇଥିବାବେଳେ ନିଜେ ଉପସ୍ଥିତ ଥିଲେ ସେ ।ଏବେ ରେକର୍ଡ ରୁମ୍‌ରୁ ଡୁପ୍ଲିକେଟ୍ ଚାବି ମିଳିବାକୁ ନେଇ ନିଜେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ରବିନ୍ଦ୍ର।

ଏଠି ପ୍ରଶ୍ନ ଉଠୁଛି ଭିତର ଭଣ୍ଡାର ଚାବି ହଜିଯିବା ଜଣାପଡିବା ପରେ ନିଜ ଦୋଷ ଘୋଡ଼ାଇବାକୁ ଅରିଜିନାଲ ଚାବିକୁ ଡୁପ୍ଲିକେଟ୍ ଆଖ୍ୟା ଦେଇନାହିଁ ତ ପ୍ରଶାସନ ? ଅକଳରେ ପଡିବା ଜାଣି ସରକାର ଜାଣିଶୁଣି କିଛି ତଥ୍ୟ ଲୁଚାଉନାହାନ୍ତି ତ?

ସେପଟେ ଖୋଦ୍ ଶାସକ ଦଳ ନେତା ଦାମୋଦର ରାଉତ ମଧ୍ୟ ଏ ନେଇ ସନ୍ଦେହ ପ୍ରକାଶ କରି ଅରିଜିନାଲ ଚାବି ହଜିଥିଲେ, ଡୁପ୍ଲିକେଟ କେଉଁଠୁ ଆସିବ ବୋଲି ପ୍ରଶ୍ନ କରିଛନ୍ତି। ତାସହ କହିଛନ୍ତି ଯେଉଁଭଳି ଡାକ ଲଫାଫାରେ ଚାବି ଅଛି ବୋଲି କୁହାଯାଉଛି ସେ ସମୟରେ ଡାକ ବିଭାଗର ଏଭଳି ଲଫାଫା ହିଁ ନଥିଲା। ଏଥିସହ ୧୯୭୮ରେ ରତ୍ନଭଣ୍ଡାର ଖୋଲିଥିବାବେଳେ ସେତେବେଳେ ଆଇନମନ୍ତ୍ରୀ ଥିବା ବିଶ୍ୱଭୂଷଣ ହରିଚନ୍ଦନଙ୍କ ଦାୟିତ୍ୱକୁ ନେଇ ବି ପ୍ରଶ୍ନ ଉଠାଇଛନ୍ତି ଦାମ। ତାସହ ଆବଶ୍ୟକତା ଠାରୁ ଅଧିକ ସମୟ ଜିଲ୍ଲାପାଳ ପୁରୀରେ ନିଯୁକ୍ତି ପାଇଥିବା କହି ବାଣ ମାରିଛନ୍ତି।

ସେପଟେ ପ୍ରତିକ୍ରିୟା ରଖି ବିଶ୍ୱଭୂଷଣ କହିଛନ୍ତି, ଡୁପ୍ଲିକେଟ ଚାବି ନେଇ ଆଇନରେ କୌଣସି ବ୍ୟବସ୍ଥା ନାହିଁ। ତେଣୁ ପୁରା ଘଟଣାରେ ସରକାର କିଛି ଲୁଚାଇବାକୁ ଚାହୁଁଛନ୍ତି । ବିଜେଡି କହିଛି ସବୁ ପ୍ରଶ୍ନର ଉତ୍ତର ବିଚାର ବିଭାଗୀୟ ତଦନ୍ତ କମିଶନ ଖୋଜି ବାହାର କରିବେ। ଅସଲି ଚାବି କେଉଁଠି, ତାର ପତ୍ତା ନାହିଁ। ଏଣେ କିନ୍ତୁ ଡୁପ୍ଲିକେଟ୍ ଚାବିକୁ ନେଇ ଚାଲିଲାଣି ଟଣାଓଟରା। କିଏ ସତ କହୁଛି ? ଚାବି କେଉଁଠି ଅଛି ? ଯେମିତି ଏସବୁ ଅସମାହିତ ପ୍ରଶ୍ନକୁ ନେଇ ବୁଢିଆଣି ଜାଲ ଭିତରେ ଛନ୍ଦି ହେଲାଭଳି ଅନୁଭବ କଲେଣି ରାଜ୍ୟବାସୀ।

 

 

You might also like