ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ; ବନ୍ଧୁକ, ଗୁଳି ଓ ଟଙ୍କା ଜବତ
ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଖଲ୍ଲିକୋଟ- କୋଦଳା ଥାନା ସୀମା ପୁସ୍ତପୁର ନିକଟରେ ପୁଲିସ୍ ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଦିଲୀପ ଦାସ ଆହତ ହୋଇଛି। ତାର ଡାହାଣ ଗୋଡ଼ରେ ଗୁଳି ବାଜିଛି। ତାକୁ ପ୍ରଥମେ ଖଲ୍ଲିକୋଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।
ଆଜି ସକାଳ ପ୍ରାୟ ସାଢ଼େ ୫ଟାରେ ପୁସ୍ତପୁର କାଜୁତୋଟା ନିକଟରେ ଏହି ଏନ୍କାଉଣ୍ଟର ହୋଇଥିଲା।
ପୁଲିସ୍ ଦିଲୀପ ଠାରୁ ଏକ ଦେଶୀ ବନ୍ଧୁକ, ୨ଟି ଗୁଳି, ଗୋଟିଏ ବାଇକ୍, ମୋବାଇଲ ଓ ୧୪ ହଜାର ଟଙ୍କା ଜବତ କରିଛି। ଦିଲୀପର ଘର ଖୋର୍ଦ୍ଧା ଜିଲ୍ଲା ବାଣପୁର ନିକଟ ନରଣଦେଇପୁରରେ ବୋଲି ଜଣାପଡ଼ିଛି। ତା ନାଁରେ ଗଞ୍ଜାମ, ଭୁବନେଶ୍ୱର ଓ କଟକରେ ୨୦ରୁ ଅଧିକ ଅପରାଧିକ ମାମଲା ରହିଛି।
ସୂଚନାଥାଉ କି, ଗତ କିଛିଦିନ ତଳେ ଗଞ୍ଜାମ ଜିଲ୍ଲା ସାନଘାଟି ଛକରେ ପୁଲିସ୍ ଏନ୍କାଣ୍ଟରରେ ୨ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଥିଲେ। ସେମାନେ ଗତ ୨ ତାରିଖରେ ଖଲ୍ଲିକୋଟ ଟୋଲ୍ ଗେଟ୍ ଡକାୟତିରେ ସଂପୃକ୍ତ ଥିଲେ ବୋଲି ପୁଲିସ୍ ସୂଚନା ଦେଇଥିଲା।