ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ କାଳୁ ଗୁରୁତର ଆହତ

ବ୍ରହ୍ମପୁର: ପୁଣି ଗଞ୍ଜାମରେ ଏନ୍‌କାଉଣ୍ଟର। ଆସିକା ଚାରିମାଳ ଛକ ନିକଟରେ ପୁଲିସ୍‌ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ କାଳୁ ବିଶ୍ୱାଳ ଗୁରୁତର ଆହତ ହୋଇଛି। ତାର ଡାହାଣ ଗୋଡ଼ରେ ଗୁଳି ବାଜିଛି।  ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ ଆସିକା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ, ଆସିକା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବଳିଆପଲ୍ଲୀ ଗାଁର କାଳୁ ଗତକାଲି ରାତିରେ ଏକ ନମ୍ବର ବିହୀନ ବାଇକ୍‌ରେ ବାଲିପଦର ଯାଉଥିଲା। ଏନେଇ କୌଣସି ସୂତ୍ରରୁ ଆସିକା ଏବଂ ବଡଗଡ ପୋଲିସ ଖବର ପାଇ  ତାର ପିଛା କରିଥିଲେ। ଏହି ସମୟରେ କାଳୁ ପୁଲିସ୍‌ ଉପରକୁ ୪ ରାଉଣ୍ଡ ଗୁଳି ଚଳାଇଥିଲା। ଯାହାର ପାଲଟା ଜବାବରେ ପୁଲିସ୍‌ ଗୁଳି ଚାଳାଇଥିଲା। ପୁଲିସ୍‌ ତା’ ନିକଟରୁ ଏକ ମାଉଜର, ୩ରାଉଣ୍ଡ ଅଫୁଟା ଗୁଳି ଓ ଏକ ନମ୍ବର ବିହୀନ ବାଇକ୍‌ ଜବତ କରିଛି।

କାଳୁ ନାଁରେ ଆସିକା, ଧରାକୋଟ, ସୋରଡା, ବଡଗଡ, କବିସୂର୍ଯ୍ୟନଗରରେ ୧୦ରୁ ଅଧିକ ଅପରାଧିକ ମାମଲା ରହିଛି।

ସୂଚନାଥାଉ କି, ଗତକାଲି ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଖଲ୍ଲିକୋଟ- କୋଦଳା ଥାନା ସୀମା ପୁସ୍ତପୁର ନିକଟରେ ପୁଲିସ୍‌ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଦିଲୀପ ଦାସ ଆହତ ହୋଇଥିଲା।

You might also like