• translate
Odishatv Bureau

ରୋଗ ହୋଇଥିଲା ବୋଲି ତାଙ୍କୁ ଘରୁ ଡାକିନେଇ ଗିରଫ କରିଥିଲା ପୋଲିସ୍‌। ସେଠାରୁ ତାଙ୍କୁ ଡାକ୍ତରଖାନା ନେଇଯାଇଥିଲା। ଯକ୍ଷ୍ମା ୱାର୍ଡରେ ଭର୍ତ୍ତି କରି ପଚାରିଥିଲା ପ୍ରଶ୍ନ ପରେ ପ୍ରଶ୍ନ। ଅନ୍ତରଙ୍ଗ ମୁହୂର୍ତ୍ତର ଗୋପନ କଥାସବୁ ବଖାଣିବାକୁ ବାଧ୍ୟ କରିଥିଲା ପୋଲିସ୍‌। କେବେ କାହାସହ ରଖିଥିଲେ ଯୌନ ସମ୍ପର୍କ। କାହା ସହ ବିତାଇଥିଲେ ଅନ୍ତରଙ୍ଗ ମୁହୂର୍ତ୍ତ ,ଏମିତି ଅନେକ ପ୍ରଶ୍ନର ଉତ୍ତର ତାଙ୍କୁ ଦେବାକୁ ପଡିଥିଲା। କିନ୍ତୁ ସେ  ବୁଝିପାରି ନଥିଲେ ତାଙ୍କର ଦୋଷ କ’ଣ ? କାହିଁକି ପୋଲିସ୍ ତାଙ୍କୁ ଏମିତି ଜେରା କରୁଛି। ଶେଷରେ ତାଙ୍କ ନାଁ ଲେଖାଗଲା ଏକ ଫାଇଲରେ। ଯେଉଁଥିରୁ ଜଣାପଡିଲା ତାଙ୍କୁ  ଏଚ୍ଆଇଭି ପଜିଟିଭ୍ ଭୂତାଣୁ ଗ୍ରାସ କରିଥିଲା!

ଏହି ବ୍ୟକ୍ତି ଜଣକ ହେଲେ ଗୋଆର ଡୋମିନିକ୍‌ ଡିସୌଜା। ଗୋଆର ଜନ ସ୍ୱାସ୍ଥ୍ୟ ଆକ୍ଟ (ପବ୍ଲିକ ହେଲ୍ଥ ଆକ୍ଟ) ଅନୁଯାୟୀ ଅପରାଧ ନ କରିବି ସେ ପାଲଟିଗଲେ ଅପରାଧୀ। ସେତେବେଳର ନିୟମ ଆନୁଯାୟୀ ଏଚ୍ଆଇଭି ରୋଗୀଙ୍କୁ ଅଲଗାରଖାଯାଉଥିଲା। କହିବାକୁ ଗଲେ, ଏକ ନିର୍ବାସିତ ଜୀବନ ବଞ୍ଚିବାକୁ ବାଧ୍ୟ କରାଯାଉଥିଲା।

ଗୋଆର ଏହି ସରକାରୀ ବ୍ୟବସ୍ଥା ବିରୋଧରେ ଏବଂ ମୌଳିକ ଅଧିକାର ପାଇଁ ଡୋମିନିକଙ୍କ ମା’ ଆଇନର ଆଶ୍ରୟ ନେଲେ। ସରକାରଙ୍କର ଏଭଳି ଅମାନବିକ ବ୍ୟବସ୍ଥାରୁ ପୁଅକୁ ବଞ୍ଚାଇବା ପାଇଁ ସେ ପ୍ରାଣପ୍ରଣେ ଚେଷ୍ଟା କଲେ। ୟା ଭିତରେ ପୁଅ କିନ୍ତୁ ଚାଲି ଯାଇଥିଲା ଜେଲର କାଳକୋଠରୀ ଭିତରକୁ। ଏକ ଅସହାୟ ମାଆର ବ୍ୟବସ୍ଥା ବିରୋଧୀ ଯୁଦ୍ଧକୁ ସମର୍ଥନ ଜଣାଇଥିଲେ ବନ୍ଧୁ ପରିଜନ।

ଶୋଭାଯାତ୍ରା, ରୋଡ୍‌ ଶୋ କରି ଡୋମିନିକଙ୍କ ଦୁର୍ଦ୍ଦଶାକୁ ଲୋକଙ୍କ ସାମ୍ନାକୁ ଆଣିଥିଲେ ତାଙ୍କ ପରିବାର ବର୍ଗ ଓ ବନ୍ଧୁମାନେ। ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ପାଇଁ ଚାରିଆଡ଼େ ସ୍ୱର ଉତ୍ତୋଳନ ହେଲା। ୟା ଭିତରେ ସରକାର ଡୋମିନିକଙ୍କୁ ୬୪ଦିନ ଧରି ଏକଘରକିଆ କରି ରଖିଦେଲେ। ନିର୍ବାସନ ଯୋଗୁଁ ଚାକିରି ହରାଇଲେ ସେ।  ଶେଷରେ ଡୋମିନିକଙ୍କ ସଂଘର୍ଷର ଅନ୍ତ ଘଟିଲା। ସେ ଜେଲରୁ ମୁକୁଳିଲେ। ହେଲେ ଚୁପ୍ ବସିନଥିଲେ ଡୋମିନିକ।

ସରକାରଙ୍କ ଏପରି ଅନ୍ଧ ନିୟମ ଓ ଅବ୍ୟବସ୍ଥା ବିରୋଧରେ ଆରମ୍ଭ କରିଥିଲେ ଲଢ଼େଇ। ଏ ଅନ୍ୟାୟ ଯେପରି ଆଉ କାହା ସହ ନ ହେଉ ସେଥିପାଇଁ  ଚାରିଆଡ଼େ ଭାଷଣ ଦେଇ, ଶୋଭାଯାତ୍ରା କରି ଲୋକଙ୍କ ମନରେ ଏଡ୍‌ସ ପ୍ରତି ଥିବା ଧାରଣା ବଦଳାଇବାକୁ ଅଣ୍ଟା ଭିଡ଼ିଲେ। ଏଚଆଇଭିରେ ପୀଡିତ ଲୋକଙ୍କୁ ଘୃଣା ଓ ଅପବାଦରୁ ରକ୍ଷା କରିବାକୁ ୧୯୯୨ରେ ସେ ଏଡସ୍ ଉପରେ ହେଉଥିବା ଏକ ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗ ଦେଲେ। କିଛି ବନ୍ଧୁଙ୍କ ସହ ମିଶି ଏକ ସଙ୍ଗଠନ ଆରମ୍ଭ କଲେ। ତେବେ ଏହି ସଙ୍ଗଠନ ପଞ୍ଜୀକୃତ ହେବାର ଦୁଇ ମାସ ପରେ ୧୪ ମେ ୧୯୯୨ ମୁମ୍ବାଇର ବ୍ରିଚ୍‌କାଣ୍ଡି ମେଡିକାଲରେ ଡୋମିନିକଙ୍କ ମୃତ୍ୟୁ ହୋଇଥିଲା।

ଏହାର କିଛି ବର୍ଷ ପରେ ସରକାର ସଚେତନ ହେଲେ। ଧୀରେ ଧୀରେ ଏଡ୍‌ସ ପ୍ରତି ଲୋକଙ୍କ ଧାରଣା ବଦଳିଲା।  ବହୁ ପ୍ରତୀକ୍ଷାର ଅନ୍ତ ପରେ ଏ ସମ୍ପର୍କିତ ଏକ ବିଲ୍ ୨୦୧୭ ଏପ୍ରିଲ ମାସରେ ସଂସଦରେ ପାରିତ ହୋଇଥିଲା। ଯେଉଁଥିରେ ଏଭଳି ଘୃଣ୍ୟ ଅନ୍ଧବିଶ୍ୱାସ ବନ୍ଦ କରିବା ସହିତ ଏଚଆଇଭି ଆକ୍ରାନ୍ତ ବ୍ୟକ୍ତିଙ୍କ ପ୍ରତି ହେଉଥିବା ସମସ୍ତ ଅମାନବୀୟ କାର୍ଯ୍ୟକୁ ନିଷିଦ୍ଧ କରାଯାଇଛି।

Other Stories