ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ରାଜଧାନୀରେ ଚାଞ୍ଚଲ୍ୟ

ଅଜଣା ଫୋନ୍ କଲ୍ ଓ କଲ ହିଷ୍ଟ୍ରି ଡିଲିଟ୍‌କୁ ନେଇ ବଢ଼ିଲା ସନ୍ଦେହ

ଭୁବନେଶ୍ୱର : ସିସିଟିଭି ଫୁଟେଜରୁ ଜଣାପଡିଛି ମୃତ୍ୟୁର କିଛି ସମୟ ପୂର୍ବର ଦୃଶ୍ୟ । ଶୁକ୍ରବାର ରାତି ୯ଟା ୧୦ ମିନିଟ୍‌ରେ ସାମନ୍ତରାପୁରସ୍ଥିତ ନିଜ କ୍ଲିନିକ ଛାଡିଥିଲେ ଡାକ୍ତର ରବୀନ୍ଦ୍ର ନାଥ ରଥ। ଏକ ଫୋନ୍ କଲ୍ ଅାସିବା ପରେ କ୍ଲିନିକ୍ ଛାଡି ରେଲୱେ ଷ୍ଟେସନ ବାହାରିଥିଲେ। ଅାଉ ଷ୍ଟେସନ୍‌ରେ ପହଞ୍ଚିବାର ମାତ୍ର ୧୫ ମିନିଟ୍ ପରେ ମିଳିଲା ମୃତଦେହ।

ତେବେ ସାମନ୍ତରାପୁର ସ୍ଥିତ ତାଙ୍କ କ୍ଲିନିକରୁ ରେଲୱେ ଷ୍ଟେସନ ପର୍ଯ୍ୟନ୍ତ ଅନେକ ଘଟଣା ସନ୍ଦେହ ସୃଷ୍ଟି କରୁଥିବାରୁ ପରିବାର ଲୋକେ ଏହାକୁ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି। ଏଠି ପ୍ରଶ୍ନ ଉଠୁଛି, ହଠାତ୍‌ ରୋଗୀ ଦେଖୁଥିବାବେଳେ ଗୋଟିଏ କଲ୍ ପାଇ କାହିଁକି ବିଚଳିତ ହୋଇ କ୍ଲିନିକ୍‌ ଛାଡିଲେ ଡାକ୍ତର? କଲ୍ କରିଥିବା ବ୍ୟକ୍ତି କିଏ ? ଡ୍ରାଇଭିଂ ଜାଣିନଥିବା ଡାକ୍ତର ରବୀନ୍ଦ୍ର ଏତେ ରାତିରେ ରେଲୱେ ଷ୍ଟେସନ ଗଲେ କିପରି ?

ରେଳ ଷ୍ଟେସନ ସିସିଟିଭି ଫୁଟେଜରୁ ଜଣାପଡିଛି ,ହାତରେ ପାଣି ବୋତଲ ଧରି ଫ୍ଲାଟଫର୍ମ ଅାସୁଛନ୍ତି ଡାକ୍ତର ରବୀନ୍ଦ୍ର। ଅାଉ ଅନ୍ୟ ଏକ ଫୁଟେଜରେ ରାତି  ୯ଟା ୪୭ ମିନିଟ୍‌ରେ ଫ୍ଲାଟଫର୍ମରେ ଫୋନ୍‌ ଯୋଗେ କଥା ହେଉଛନ୍ତି। ଏବେ ପ୍ରଶ୍ନ, ଜବତ ହୋଇଥିବା ତାଙ୍କ ଫୋନରୁ ରାତି ୧୦ ପୂର୍ବର ସମସ୍ତ କଲ୍ ଡିଲିଟ ହେଲା କେମିତି ? ତେଣୁ ଟ୍ରେନ୍‌ ଦୁର୍ଘଟଣା ଜନିତ ମୃତ୍ୟୁ ନା ଅାତ୍ମହତ୍ୟା ଅବା ଷଡଯନ୍ତ୍ର କରି ହତ୍ୟା କରାଯାଇଛି ତାକୁ ନେଇ ସନ୍ଦେହ ଉପୁଜିଛି ?

ପରିବାର ଲୋକେ ଭୁବନେଶ୍ୱର ଜିଅାରପିରେ ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ରବୀନ୍ଦ୍ରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ତଥାପି ଡାକ୍ତର ରବୀନ୍ଦ୍ରଙ୍କ ସନ୍ଦେଜନକ ମୃତ୍ୟୁ ଛାଡ଼ି ଯାଇଛି ଅନେକ ପ୍ରଶ୍ନ। ରବୀନ୍ଦ୍ରଙ୍କର କାହା ସହ ବିବାଦ ଥିଲା କି ? ମେଡିସିନ ରିପ୍ରେଜେଣ୍ଟେଟିଭଙ୍କ ସହ କିଛି ମତଭେଦ ଥିଲା କି ?   ସେପଟେ ଜିଅାରପି ଇନ୍‌ସପେକ୍ଟରଙ୍କ କହିବା କଥା ସିସିଟିଭି ଫୁଟେଜ ଓ ମୋବାଇଲ୍ କଲ ଡିଟେଲ୍ସର ତନ୍ନ ତନ୍ନ ଯା଼ଞ୍ଚ କରାଯିବ।

ବରଗଡ଼ରେ ସିଡିଏମଓ ପଦରୁ ଅବସର ପରେ ଶିଶୁ ରୋଗ ବିଶେଷଜ୍ଞ ଭାବେ ୩ ବର୍ଷ ହେଲା ବିଏମସି ହସ୍ପିଟାଲରେ କାମ କରୁଥିଲେ ରବୀନ୍ଦ୍ର।

You might also like