ରହସ୍ୟରେ ଛତ୍ରପୁରର ଡାକ୍ତର ଅର୍ଚ୍ଚନା ଦାସ ଅାତ୍ମହତ୍ୟା ଘଟଣା

୩ ଦିନ ପରେ ବି ହାତ ବାନ୍ଧି ବସିଛି ପୁଲିସ

ଛତ୍ରପୁର  : ଅାରୋପ ପ୍ରତ୍ୟାରୋପ। ଅଭିଯୋଗ  ପ୍ରତି ଅଭିଯୋଗ। ଛତ୍ରପୁରରେ ଡାକ୍ତର ଅର୍ଚ୍ଚନା ଦାସଙ୍କ ଟ୍ରେନ୍‌ ଅାଗକୁ ଡେଇଁ ଅାତ୍ମହତ୍ୟା ଘଟଣାରେ ଦୁଇ ପରିବାର ମଧ୍ୟରେ ତୁତୁ ମେଁମେଁ ଲାଗି ରହିଥିବା ବେଳେ ମୁହଁ ଖୋଲିଛନ୍ତି ଅର୍ଚ୍ଚନାଙ୍କ ସ୍ୱାମୀ ଡାକ୍ତର ଅଞ୍ଜନ ଦାସ। ଅର୍ଚ୍ଚନା ମାନସିକ ରୋଗଗ୍ରସ୍ତ ଥିଲେ ଓ ସେ ଡାଇବେଟିସ୍ ସମେତ ଅନ୍ୟାନ୍ୟ ରୋଗରେ ପୀଡିତ ଥିବା କହିଛନ୍ତି ଅଞ୍ଜନ।

ଡାଇବେଟିସ୍ ଯୋଗୁଁ ତାଙ୍କୁ ବ୍ରେନ୍‌ ଷ୍ଟ୍ରୋକ୍ ହୋଇଥିଲା ଓ ସେ ପତ୍ନୀ ଅର୍ଚ୍ଚନାଙ୍କର ଅାବଶ୍ୟକ ଚିକିତ୍ସା କରାଇଥିବା ଅଞ୍ଜନ ଦାବି କରିଛନ୍ତି। ପାଲଟା ଅଭିଯୋଗ କରିଛନ୍ତି ଅର୍ଚ୍ଚନା ବିବାହ ପରଠାରୁ କେବେବି ତାଙ୍କ ଘରେ ରହିନାହାଁନ୍ତି। ତେଣୁ ତାଙ୍କୁ କେମିତି ମାନସିକ ଓ ଶାରିରୀକ ନିର୍ଯାତନା ଦିଅାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଅର୍ଚ୍ଚନା ତାଙ୍କ ସହ ରହିବାକୁ ରାଜି ନଥିବାରୁ ସେ ବାଧ୍ୟ ହୋଇ ଛାଡପତ୍ର ନୋଟିସ୍ ପଠାଇଥିଲେ ବୋଲି କହିଛନ୍ତି ଅଞ୍ଜନ।

ଅଞ୍ଜନଙ୍କ ଅଭିଯୋଗକୁ ଅର୍ଚ୍ଚନାଙ୍କ ବାପା ରଘୁନାଥ ଖଣ୍ଡନ କରିଛନ୍ତି। ଅର୍ଚ୍ଚନା ଯଦି ମାନସିକ ରୋଗଗ୍ରସ୍ତ ଥିଲେ। ତେବେ ସେ କେମିତି ଡାକ୍ତର ଚାକିରି କରୁଥିଲେ ବୋଲି ପ୍ରଶ୍ନ କରିଛନ୍ତି। ପ୍ରବଳ ମାନସିକ ଚାପ ଯୋଗୁଁ ଅର୍ଚ୍ଚନା ଅାତ୍ମହତ୍ୟା କରିଥିବା ସେ ଦୋହରାଇଛନ୍ତି। ଅନ୍ୟପକ୍ଷରେ ଶାଶୁଘର ଲୋକ ଝିଅକୁ ନିର୍ଯାତନା ଦେଇ ଅାତ୍ମହତ୍ୟା ଲାଗି ବାଧ୍ୟ କରିଥିବା ଅର୍ଚ୍ଚନାଙ୍କ ମାଅା ଅଭିଯୋଗ କରିଛନ୍ତି।

ଏପଟେ ଘଟଣାକୁ ତିନି ଦିନ ବିତି ଯାଇଥିଲେ ବି ପୁଲିସ ତଦନ୍ତ ବିଶେଷ ଅାଗେଇ ପାରିନାହିଁ। ଅର୍ଚ୍ଚନାଙ୍କ ପରିବାର ପକ୍ଷରୁ ଛତ୍ରପୁର ଥାନାରେ ମାମଲା ରୁଜୁ କରାଯାଇଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି। ଏନେଇ ପୁଲିସର ପ୍ରତିକ୍ରିୟା ମିଳିପାରି ନାହିଁ।

You might also like