୨୫% ସିଟ୍ ବାହାର ରାଜ୍ୟ ପିଲାଙ୍କୁ ଦେବା ନିଷ୍ପତ୍ତିକୁ ନେଇ ବିବାଦ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଓଡ଼ିଆ ମାରଣ ନୀତି। ରାଜ୍ୟର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ୫୦ ପ୍ରତିଶତ ସିଟ୍‌ରୁ ୨୫ ପ୍ରତିଶତ ସିଟ୍‌ରେ ଏଣିକି ଆଡ୍‌ମିଶନ କରିପାରିବେ ବାହାର ରାଜ୍ୟର ଛାତ୍ରଛାତ୍ରୀ। ଓପେକାର ଆବେଦନ ଅନୁସାରେ ଏଭଳି ନିଷ୍ପତ୍ତି ନେଇଛି ଦକ୍ଷତା ବିକାଶ ବିଭାଗର ପଲିସି ପ୍ଲାନିଂ ବଡ଼ି। ତେବେ ଏହି ନିଷ୍ପତ୍ତିକୁ ଓଡ଼ିଆ ଛାତ୍ରଛାତ୍ରୀ ବିରୋଧ କରିଛନ୍ତି।

କାରଣ ଏହାଦ୍ୱାରା ରାଜ୍ୟର ଗରିବ ମେଧାବୀ ଛାତ୍ର ଭଲ କଲେଜରେ ଆଡମିଶନ ପାଇବାରୁ ବଞ୍ଚିତ ହେବେ ବୋଲି ସେମାନେ ଯୁକ୍ତି ରଖିଛନ୍ତି। ଦୁଇ ବର୍ଷ ତଳେ ଓପେକାର ଅନୁରୋଧକୁ ସେତେବେଳେ ବୈଷୟିକ ଶିକ୍ଷା ସଚିବ ଅଗ୍ରାହ୍ୟ କରିଦେଇଥିଲେ। ତେବେ ହଠାତ୍ କାହିଁକି ସରକାର ମନ ପରିବର୍ତ୍ତନ କଲେ, ସେ ନେଇ ଉଠିଛନ୍ତି ପ୍ରଶ୍ନ। ଅନ୍ୟପକ୍ଷରେ ରାଜ୍ୟ ବାହାରର ପିଲା ଆସିଲେ ଶିକ୍ଷା କ୍ଷେତ୍ରରେ ପ୍ରତିସ୍ପର୍ଦ୍ଧା ବଢିବ, ମାତ୍ର ଏହା ଦ୍ୱାରା ରାଜ୍ୟର ଛାତ୍ରଛାତ୍ରୀଙ୍କ ସ୍ୱାର୍ଥହାନୀ ହୋଇପାରେ ବୋଲି ମତ ଦେଇଛନ୍ତି ଶିକ୍ଷାବିତ୍।

ତେବେ ଓପେକା ଏଭଳି ଆଶଙ୍କାକୁ ଖଣ୍ଡନ କରିଛି। ରାଜ୍ୟ ଘରୋଇ କଲେଜଗୁଡିକର ଅଧାରୁ ଅଧିକ ସିଟ୍ ଖାଲି ପଡୁଛି। ତେଣୁ ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟର ଛାତ୍ରଛାତ୍ରୀ ଆଦୌ ପ୍ରଭାବିତ ହେବିନି ବୋଲି ଓପେକା ସଂପାଦକ ଯୁକ୍ତି ରଖିଛନ୍ତି।

ରାଜ୍ୟରେ ଥିବା ୮୦ଟି ଇଂଜିନୟରିଂ କଲେଜରେ ପ୍ରାୟ ୩୫ ହଜାର ସିଟ୍ ରହିଛି। ତେବେ ସାଧାରଣ ବର୍ଗ ପିଲାଙ୍କ ଲାଗି ଉଦ୍ଦିଷ୍ଟ ୨୫ ପ୍ରତିଶତ ସିଟ୍ କାଟିଦିଆଯିବା ଦ୍ୱାରା, ରାଜ୍ୟର ମେଧାବୀ ଛାତ୍ରଛାତ୍ରୀ ଭଲ କଲେଜରେ ପଢିବାରୁ ବଞ୍ଚିତ ହେବେ ନାହିଁ ତ? ଏହା ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।

You might also like