ଶ୍ରୀମନ୍ଦିର ଭିତରେ ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ଅସମ୍ମାନଜନକ ବ୍ୟବହାର ଅଭିଯୋଗ

ପୁରୀ: ଶ୍ରୀମନ୍ଦିରରେ ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ଉଚିତ୍ ସମ୍ମାନ ଦିଆଯାଇ ନ ଥିବା ଅଭିଯୋଗ । ଗତ ମାର୍ଚ୍ଚ ୧୮ ତାରିଖରେ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଇଥିବା ବେଳେ ତାଙ୍କ ପତ୍ନୀଙ୍କ ସହିତ ଏପରି ହୋଇଥିବା ଅଭିଯୋଗ ହୋଇଛି।

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ମୁଖ୍ୟ ପ୍ରଶାସକ ଏ ନେଇ ସୂଚନା ଦେଇଥିବା ଜଣାପଡିବା ପରେ ହଇଚଇ ସୃଷ୍ଟି ହୋଇଛି।  ପରିଚାଳନା କମିଟି ବୈଠକର ବିବରଣୀ ଅନୁସାରେ, ରାଷ୍ଟ୍ରପତି ରତ୍ନ ସିଂହାସନକୁ ଯିବା ସମୟରେ ସେଠାରେ ଥିବା ଖୁଣ୍ଟିଆ ମେକାପ ସେବକ ଆଡେଇଲେ ନାହିଁ ଅର୍ଥାତ୍ ଛିଡ଼ା ହୋଇଥିବା ଜାଗାରୁ ପାଦେ ବି ଘୁଞ୍ଚିଲେ ନାହିଁ ।

ଏପରିକି କେତେକ ସେବକ ରାଷ୍ଟ୍ରପତିଙ୍କ ଦେହରେ ଘଷି ମଧ୍ୟ ହୋଇଯାଇଥିଲେ। ସମାନ ଅବସ୍ଥା ରାଷ୍ଟ୍ରପତିଙ୍କ ପତ୍ନୀଙ୍କ କ୍ଷେତ୍ରରେ ମଧ୍ୟ ହୋଇଥିଲା । ଭାରତବର୍ଷର ପ୍ରଥମ ମହିଳାଙ୍କ ପ୍ରତି ଏ ପ୍ରକାର ଅସମ୍ମାନଜନକ ବ୍ୟବହାର ନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ତରଫରୁ ଅସନ୍ତୋଷ ପ୍ରକାଶ ପାଇଥିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୈଠକରେ ସୂଚନା ଦେଇଥିଲେ।

ଏପ୍ରିଲ ୪ରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ପ୍ରଥମ କରି ଏ ସମ୍ପର୍କରେ କମିଟିକୁ ଅବଗତ କରାଯାଇଥିଲା। ଏନେଇ ପରିଚାଳନା କମିଟି ବୈଠକରେ ଆଲୋଚନା ମଧ୍ୟ ହୋଇଥିଲା। ଯାହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତନାଘନା ଆରମ୍ଭ ହୋଇଥିବା ଜଣାପଡିଛି।

You might also like