କୋରାପୁଟ କଂଗ୍ରେସରେ ଫାଟ ; ତେଜିଲା ଗୋଷ୍ଠୀ ବିବାଦ
କୋରାପୁଟ : କୋରାପୁଟ କଂଗ୍ରେସରେ ପୁଣି ତେଜିଲା ଗୋଷ୍ଠୀ ବିବାଦ। ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କୁ ସମ୍ୱର୍ଦ୍ଧନା ସଭାରେ ଜିଲ୍ଲା କଂଗ୍ରେସରେ ଥିବା ଫାଟ ଆଜି ପୁଣି ଥରେ ଦେଖାଦେଇଛି। ସମ୍ୱର୍ଦ୍ଧନା ସଭା ପୂର୍ବରୁ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଏକ ରାଲି ଆୟୋଜିତ ହୋଇଥିଲା। ରାଲିରେ ପ୍ରଦୀପଙ୍କ ସହ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ରୂପକ ତୁରୁକ ଏବଂ ୨ କଂଗ୍ରେସ ବିଧାୟକ ସାମିଲ ହୋଇଥିଲେ। ବିଧାୟକ କୈଳାସ କୁଲେସିକା, କୃଷ୍ଣଚନ୍ଦ୍ର ଶଗରିଆ ସାମିଲ ହୋଇଥିଲେ।
ତେବେ ରାଲିରେ ଜୟପୁର ବିଧାୟକ ତାରା ବାହିନୀପତି ଏବଂ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ମିନାକ୍ଷି ବାହିନୀପତି ମଧ୍ୟ ଅନୁପସ୍ଥିତ ଥିଲେ। କୋଟପାଡ଼ ବିଧାୟକ ଚନ୍ଦ୍ରଶେଖର ମାଝୀଙ୍କୁ ମଧ୍ୟ ରାଲିରେ ଦେଖିବାକୁ ମିଳିନଥିଲା।
ଗତ ୧୪ ତାରିଖରେ ମଧ୍ୟ ଜିଲ୍ଲା ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କୁ ଭୁବନେଶ୍ୱର ଡକାଯାଇଥିଲା। ତେବେ ଜିଲ୍ଲା ସଭାନେତ୍ରୀ ମିନାକ୍ଷୀ ବାହିନୀପତି ଆସି ନଥିଲେ। ଜିଲ୍ଲାର ନବନିର୍ବାଚିତ କାର୍ଯ୍ୟକାରୀ ସଭାପତିଙ୍କୁ ନେଇ ବିରୋଧୀ ଦଳ ନେତା ତାରା ବାହିନୀପତି ଓ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆଙ୍କ ଭିତରେ ମତଭେଦ ପୂର୍ବରୁ ପଦାକୁ ଆସିଥିଲା।