ଢାବା ମାଲିକଙ୍କୁ ପଥରରେ ଛେଚି ହତ୍ୟା
ଝାରସୁଗୁଡ଼ା: ଜଣେ ଢାବା ମାଲିକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଝାରସୁଗୁଡ଼ା ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି।
ସୂଚନା ଅନୁସାରେ, ଲଖନପୁର ବ୍ଲକ କନକତୋରା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ବାବୁଡେରା ଢାବା ମାଲିକ ରାଜେଶ ସାହୁଙ୍କୁ ଗତ ରାତିରେ କେହି ଦୁର୍ବୃତ୍ତ ହତ୍ୟା କରିଥିବା ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି।
ଢାବାରେ ରାଜେଶ ଶୋଇଥିବାରୁ ଆଜି ସକାଳେ ତାଙ୍କ ସ୍ତ୍ରୀ ଜଳଖିଅଆ ଧରି ଢାବାରେ ପହଞ୍ଚିଥିଲେ। କିନ୍ତୁ ଢାବା ତାଲା ଦିଆଯାଇଥିବାରୁ ତାଙ୍କର ସନ୍ଦେହ ଉପୁଜିଥିଲା। ତାଲା ଭାଙ୍ଗିବା ପରେ ରାଜେଶଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରାଯାଇଥିବା ସେ ଦେଖିବାକୁ ପାଇଥିଲେ।
ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ରେଙ୍ଗାଲି ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଚଳାଇଛି।