ଫିଟୁଛି ଦେବ ପ୍ରସାଦ ଦାଶଙ୍କ ଆକସ୍ମିକ ନିଲମ୍ବନ ପଛର ଗୁମର

ଭୁବନେଶ୍ୱର : ୭ ମାର୍ଚ୍ଚ ୨୦୧୫। ସରକାରୀ ଜମି ଉପରେ ଠିଆ ହୋଇଥିବା ବହୁ ଚର୍ଚ୍ଚିତ ପାଟଶାଣୀ ମଠକୁ ଭାଙ୍ଗିବାକୁ ଆଗକୁ ଆସି ହିରୋ ହୋଇଥିଲେ ବିଡିଏ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡର ଅଧିକାରୀ ଦେବ ପ୍ରସାଦ ଦାଶ। ମଠ ସିନା ଭାଙ୍ଗିଗଲା ,ହେଲେ ୭ ଦିନ ପରେ ନିଜ ପଦରୁ ହଟିଗଲେ ଦେବ। ଏପରିକି ବହୁ ସ୍ଥାନରେ ଜବରଦଖଲ ହଟାଇବା ପାଇଁ ଆଗେଇଆସିଥିବା ଏହି ଅଧିକାରୀଙ୍କୁ ଗତ ୪ ବର୍ଷରେ ୬ ଥର ବଦଳି କରାଯାଇଥିଲା। ପାଟ୍ଟଶାଣୀ ମଠ ଭାଙ୍ଗିବା ପୂର୍ବରୁ ବେଆଇନ୍ ନିର୍ମାଣ ନେଇ ସେ ଜାରି କରିଥିବା ୮୬ଟି ସଂସ୍ଥା ଭିତରେ ଥିଲା କିଟ୍ ଓ କିସ୍।

ଏବେ କିନ୍ତୁ ବଦଳି ନୁହେଁ ସିଧା ନିଲମ୍ବନ। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିରଣ ବିଭାଗରେ ଯୁଗ୍ମ ସଚିବ ସହ ନିର୍ଦ୍ଦେଶକ ଦାୟିତ୍ୱ ବି ତୁଲାଉ ଥିଲେ ଦେବ। ହଠାତ କୌଣସି କାରଣ ନ ଦର୍ଶାଇ ଗତ ୨୮ ତାରିଖରେ ତାଙ୍କୁ ନିଲମ୍ବନ କରିଛନ୍ତି ସରକାର। ତେବେ ଏ ନିଲମ୍ବନ ପଛର କାରଣକୁ ନେଇ ଏବେ ଚର୍ଚ୍ଚା। କୁହାଯାଉଛି, ଦେବପ୍ରସାଦ କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରୁଥିବାରୁ ଏଥିପାଇଁ ତାଙ୍କୁ ବହୁମୁଲ୍ୟ ଦେବାକୁ ପଡିଛି।

ଦେବ ନିଜେ ଏଥିପାଇଁ ସରକାରଙ୍କୁ ଅସହିଷ୍ଣୁତା ଓ ଅଣଓଡିଆ ଅଫିସରଙ୍କ ପ୍ରାଦୁର୍ଭାବକୁ ଦାୟୀ କରିଛନ୍ତି। ଆଇଏଏସ ସଂଘପାଇଁ ଓକିଲାତି କରୁଥିବା ଓଏଏସ ସଂଘ ଏବେ ତାଙ୍କ ପ୍ରତି ଅନ୍ୟାୟ ହୋଇଥିବା ବେଳେ କୁଆଡେ ଗଲା ବୋଲି ବି ପ୍ରଶ୍ନ କରିଛନ୍ତି ଦେବପ୍ରସାଦ। ଓଏଏସ ସଂଘର ସଭାପତି କହିଛନ୍ତି ଯଦି ଦେବ ପ୍ରସାଦଙ୍କ ତ୍ରୁଟି ଥିବ ସେ କୈଫିୟତ୍ ଦେବେ। ଯେବେ ତ୍ରୁଟି ନଥିବ ତେବେ ସଂଘର ଦୃଷ୍ଟିକୁ ଆଣିଲେ ସଂଘ ସମର୍ଥନରେ ବାହାରିବ। ଏପଟେ ବିଭାଗୀୟ ମନ୍ତ୍ରୀ କହିଛନ୍ତି ଚାକିରିରେ ବଦଳି ଓ ନିଲମ୍ବନ ନିତିଦିନିଆ କଥା ଏହା ପଛରେ ମନ୍ଦ ଉଦ୍ଦେଶ୍ୟ ନାହିଁ।

ଦେବ ପ୍ରସାଦ କେବଳ ଯେ କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଆଙ୍କରିଂ କରୁଥିଲେ, ତା ନୁହେଁ  ରାଜ୍ୟ ସରକାରଙ୍କ ବହୁ ବଡ଼ ବଡ଼ କାର୍ଯ୍ୟକ୍ରମରେ ମଧ୍ୟ ମଂଚ ପରିଚାଳନା କରୁଥିଲେ।

You might also like