ଏସିଡ୍ ବିକ୍ରି ନିୟମକୁ ଫୁ

କଡ଼ା କଟକଣା ସତ୍ତ୍ୱେ ଖୁଲମଖୁଲା ମିଳୁଛି ତରଳ ନିଆଁ

ଭୁବନେଶ୍ୱର : ତରଳ ନିଆଁ ବା ଏସିଡ୍‌ର ଖୁଲମଖୁଲା ବିକ୍ରି ରୋକିବାକୁ କେନ୍ଦ୍ର ସରକାର ତିଅାରି କରିଛନ୍ତି କଡ଼ା ନିୟମ। ହେଲେ ସେ ନିୟମକୁ ଫୁ କରି ବେଧଡ଼କ୍ ବିକ୍ରି ଚାଲିଛି ଏସିଡ୍ । ଖୋଦ୍ ରାଜଧାନୀରେ ଏମିତିକା ଚିତ୍ର ଧରିଛି ଓଟିଭି। ଯାହାକୁ ନେଇ ଚିନ୍ତାରେ ସ୍ୱେଚ୍ଛାସେବୀ ସଂଗଠନ ଓ ଅାକ୍ରମଣର ଶିକାର ପୀଡ଼ିତା। ପ୍ରାୟ ସବୁ ଛୋଟ ବଡ଼ ହାର୍ଡୱେର ଷ୍ଟୋରରେ ଅବାଧରେ ମିଳୁଛି ଏସିଡ୍। ବୋତଲ ପିଛା ମାତ୍ର ୨୦ଟଙ୍କା ।

ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ପରେ ଏସିଡ୍ ବିକ୍ରି ନେଇ ୨୦୧୩ରୁ ଗୃହ ମନ୍ତ୍ରାଳୟ ତିଅାରି କରିଛି କଡ଼ା ନିୟମ। ଗ୍ରାହକକୁ ବିନା ପରିଚୟ ପତ୍ରରେ ବିକ୍ରି ହୋଇପାରିବନି ଏସିଡ୍। ଏମିତିକି ଏସିଡ୍ କିଣିବାକୁ ଅାସୁଥିବା ଗ୍ରାହକଙ୍କ ବୟସ ୧୮ବର୍ଷରୁ ବି ଅଧିକ ହୋଇଥିବା ଅାବଶ୍ୟକ। କେଉଁ ଉଦ୍ଦେଶ୍ୟରେ ଏସିଡ୍ କିଣିବାକୁ ଅାସୁଛନ୍ତି, ତାହା ବି ଦର୍ଶାଇବାକୁ ପଡିବ। ହେଲେ ସେ ନିୟମର ସବୁଠି ଖୋଲାଖୋଲି ଉଲ୍ଲଂଘନ ଚାଲିଛି।

ଏ ତରଳ ନିଆଁର ଖୁଲମଖୁଲା ବିକ୍ରି ଯୋଗୁଁ ରାଜ୍ୟରେ ବଢି ଚାଲିଛି ଏସିଡ୍ ଅାକ୍ରମଣ। ଯାହା ପଙ୍ଗୁ କରିଦେଉଛି ଶରୀର, ନଷ୍ଟ କରିଦେଉଛି ସ୍ୱପ୍ନ।

ସେମିତି ଜଣେ ପୀଡ଼ିତା ହେଲେ ଗଞ୍ଜାମ ଜିଲ୍ଲା ଗାଙ୍ଗପୁରର ମାନିନୀ ବିଷୋୟୀ। ୨ବର୍ଷ ତଳେ ଏକତରଫା ପ୍ରେମରୁ ତାଙ୍କ ଉପରେ ହୋଇଥିଲା ଏସିଡ୍ ଅାକ୍ରମଣ। ପରିସଂଖ୍ୟାନ କହୁଛି ,ଗତ ୧୦ ବର୍ଷ ଭିତରେ ରାଜ୍ୟରେ ୫୯ଟି ଏସିଡ୍ ଅାକ୍ରମଣ ଘଟଣା ଘଟିଛି। ହେଲେ ମାତ୍ର ୧୧ଜଣ ପୀଡ଼ିତାଙ୍କୁ ଚିହ୍ନଟ କରାଯାଇଛି।

ଏମାନଙ୍କ ଥଇଥାନ ପାଇଁ ରାଜ୍ୟ ସରକାର ସେଭଳି କୌଣସି ଅାଖି ଦୃଶିଅା ପଦକ୍ଷେପ ନେଇ ନାହାନ୍ତି। ଏମିତିକି ଏସିଡ୍ ବିକ୍ରି କଟକଣା କଡ଼ାକଡ଼ି ପାଳନ ହେଉନଥିବାରୁ ଏହା ବିରୋଧରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ମନ୍ତ୍ରୀଙ୍କୁ ଭେଟି ଦାବି କରିଛନ୍ତି ସ୍ୱେଚ୍ଛାସେବୀ।

ମନ୍ତ୍ରୀଙ୍କ ଏ ପ୍ରତିଶ୍ରୁତି ବେଅାଇନ୍ ଏସିଡ୍ ବିକ୍ରି ରୋକିବା ଦିଗରେ କେତେ ଫଳପ୍ରଦ ହେଉଛି ଏବେ ତା ଉପରେ ନଜର।

 

You might also like