• translate
Satyendu Shekher Mishra

ନୂଆଦିଲ୍ଲୀ: ଖୋଲିଲା କେଜ୍ରିଓ୍ୱାଲ୍‌ଙ୍କ ଅକ୍ସିଜେନ୍ ରାଜନୀତି ଗୁମର । ଆବଶ୍ୟକତା ଠାରୁ ୪ ଗୁଣ ଅଧିକ ଅକ୍ସିଜେନ୍ ମାଗିଥିଲା ଦିଲ୍ଲୀ । ଗୁମର ଖୋଲିଲା ସୁପ୍ରିମକୋର୍ଟଙ୍କ ଅଡିଟ୍ ଟିମ୍ । ଏବେ ହରଡ଼ଘଣାରେ ଦିଲ୍ଲୀର ଆପ୍ ସରକାର । ରିପୋର୍ଟରେ ଦର୍ଶାଯାଇଛି, ଦିଲ୍ଲୀର ହସ୍ପିଟାଲ ବେଡ୍ ସଂଖ୍ୟା ଅନୁସାରେ ଦୈନିକ ଦରକାର ହେବା କଥା ୨୦୯ ମେଟ୍ରିକ୍ ଟନ୍ ଅମ୍ଳଜାନ । କେନ୍ଦ୍ରର ସଂଶୋଧିତ ହିସାବ ଅନୁସାରେ ଆବଶ୍ୟକ ହେବ ୨୮୯ ମେଟ୍ରିକ୍ ଟନ୍ ।

ସେହିପରି କୋଭିଡ୍ ସଂକ୍ରମଣ ଦ୍ୱିତୀୟ ଲହର ଶୀର୍ଷରେ ଥିବା ବେଳେ ଦୈନିକ ଖର୍ଚ୍ଚ ହେଉଥିଲା ୨୮୪ରୁ ୩୭୨ ମେଟ୍ରିକ୍ ଟନ୍ ଅକ୍ସିଜେନ୍ । ହେଲେ ଦିଲ୍ଲୀ ସରକାର ମାଗୁଥିଲେ ୧୧୪୦ ମେଟ୍ରିକ୍ ଟନ୍, ଆଉ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କେନ୍ଦ୍ର ଯୋଗାଉଥିଲା ୭୦୦ ମେଟ୍ରିକ୍ ଟନ୍ ଅକ୍ସିଜେନ୍ । ଏତେ ପରିମାଣର ଅକ୍ସିଜେନ୍ ରଖିବା ଲାଗି ଦିଲ୍ଲୀରେ ଷ୍ଟୋରେଜ୍‌ର ବି ଅଭାବ ଥିଲା । କେବଳ ଏତିକି ନୁହେଁ, ଅନାବଶ୍ୟକ ଭାବେ ଦିଲ୍ଲୀକୁ ଏତେ ପରିମାଣର ଅକ୍ସିଜେନ୍ ଦିଆଯିବା ଦ୍ୱାରା, ଅନ୍ୟ ରାଜ୍ୟଙ୍କୁ ଅମ୍ଳଜାନ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା । ଅକ୍ସିଜେନ୍ ଯୋଗାଣ ନେଇ ସୁପ୍ରିମକୋର୍ଟଙ୍କ ଅଡିଟ୍ ଟିମ୍ ଦ୍ୱାରା ପ୍ରସ୍ତୁତ ରିପୋର୍ଟରେ ଦିଆଯାଇଥିବା ତଥ୍ୟ ଦିଲ୍ଲୀ କେଜ୍ରିଓ୍ୱାଲ ସରକାରଙ୍କୁ ଅଡୁଆରେ ପକାଇଛି ।

ସିଙ୍ଘଲ ହସପିଟାଲ, ଅରୁଣା ଅସଫ୍ ଅଲ୍ଲି ହସପିଟାଲ, ଲାଇଫ୍-ରେ ହସପିଟାଲ ଓ ESIC ମଡେଲ ହସ୍ପିଟାଲ । ଏହି ୪ ହସପିଟାଲ ବେଡ୍ ସଂଖ୍ୟା ତୁଳନାରେ ବହୁଗୁଣା ଅଧିକ ଅମ୍ଳଜାନର ଆବଶ୍ୟକତା ଦର୍ଶାଇଥିଲେ । ଏହି ଡିମାଣ୍ଡ ସଂପର୍ଣ୍ଣ ତ୍ରୁଟିଯୁକ୍ତ ବୋଲି ରିପୋର୍ଟରେ କୁହାଯାଇଛି ।

ସୁପ୍ରିମକୋର୍ଟ ପ୍ୟାନେଲ ଦ୍ୱାରା ପ୍ରସ୍ତୁତ ରିପୋର୍ଟର ତଥ୍ୟ ପଦାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲଙ୍କ ଉପରେ ବର୍ଷିଛି ବିଜେପି ।ଦେଶରେ ଅକ୍ସିଜେନ ଯୋଗାଣରେ ବାଧା ସୃଷ୍ଟି ପାଇଁ କେଜ୍ରିଓ୍ୱାଲଙ୍କୁ ଦାୟୀ କରାଯିବା ଦରକାର ବୋଲି ଟୁଇଟ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲ । ସେହିପରି ସାଂସଦ ଗୌତମ ଗାମ୍ଭୀର ବି କେଜ୍ରିଓ୍ୱାଲଙ୍କୁ କଟୁ ସମାଲୋଚନା କରିଛନ୍ତି, ଲାଜ ଥିଲେ କେଜ୍ରିଓ୍ୱାଲ ସାମ୍ବାଦିକ ସମ୍ମିଳନୀ କରି ଦେଶବାସୀଙ୍କ ଆଗରେ କ୍ଷମା ମାଗନ୍ତୁ ବୋଲି ସେ ଦାବି କରିଛନ୍ତି ।

ସେପଟେ କେଜ୍ରିଓ୍ୱାଲ ଅକ୍ସିଜେନ୍ ଯୋଗାଣ ନେଇ କହୁଥିବା ମିଛ ପଦାରେ ପଡିଛି, ବାସ୍ତବରେ ସେ ମିଛୁଆ କେଜ୍ରିଓ୍ୱାଲ ବୋଲି କଟାକ୍ଷ କରିଛନ୍ତି ବିଜେପି ମୁଖପାତ୍ର ସମ୍ବିତ୍ ପାତ୍ର । ଅନ୍ୟପକ୍ଷରେ କେଜ୍ରିଓ୍ୱାଲ୍ ଟୁଇଟ୍ କରିଛନ୍ତି ଯେ, ମୁଁ ମୋର ୨ କୋଟି ଲୋକଙ୍କ ନିଶ୍ୱାସ ପାଇଁ ଲଢ଼ିଲି, ତାହା ହିଁ ମୋର ଅପରାଧ । ଆପଣ ଯେତେବେଳେ ନିର୍ବାଚନ ପ୍ରଚାର କରୁଥିଲେ ସେତେବେଳେ ମୁଁ ରାତି ଅନିଦ୍ରା ରହି ଅକ୍ସିଜେନ୍ ଯୋଗାଡ଼ କରୁଥିଲି ।

ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ, ଦିଲ୍ଲୀ ସରକାରଙ୍କ ପ୍ରମୁଖ ଗୃହ ସଚିବ ଭୂପିନ୍ଦର ଭାଲ୍ଲା, ମାକ୍ସ ହେଲ୍ଥ କେୟାରର ନିର୍ଦ୍ଦେଶକ ସନ୍ଦୀପ ବୁଦ୍ଧିରାଜା, କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟର ଯୁଗ୍ମ ସଚିବ ସୁବୋଧ ଯାଦବ ଏବଂ ପେଟ୍ରୋଲିୟମ ଅକ୍ସିଜେନ୍ ସେଫଟି ଅର୍ଗାନାଇଜେସନର ମୁଖ୍ୟ ସଂଜୟ କୁମାର ସିଂକୁ ନେଇ ଗଠିତ ପ୍ୟାନେଲ ଏହି ରିପୋର୍ଟ ପ୍ରସ୍ତୁତ କରିଛି । ଆସନ୍ତା ୩୦ ତାରିଖରେ ସୁପ୍ରିମକୋର୍ଟ ଏହି ରିପୋର୍ଟ ଉପରେ ଶୁଣାଣି କରିବେ ।

Other Stories