ସାବାସ୍ ଦୀପଶିଖା ! ଦୁର୍ଗମ ଅଞ୍ଚଳରେ ନିରକ୍ଷର ପିଲାଙ୍କ ପାଇଁ ପାଲଟିଗଲେ ଆଲୋକ ବର୍ତ୍ତିକା
ସମାଜରେ ଏମିତି କିଛି ମଣିଷ ଥାଆନ୍ତି ,ଯେଉଁମାନେ ସବୁବେଳେ କିଛି ଭିନ୍ନ କରିବାକୁ ଚେଷ୍ଟା କରିଥାଆନ୍ତି। ନିଜର କ୍ୟାରିୟରକୁ ପଛ କରି ସେମାନେ ସମାଜର ମଙ୍ଗଳ ପାଇଁ ମନପ୍ରାଣ ଢାଳି ଦେଇଥାଆନ୍ତିା ପରବର୍ତ୍ତି ସମୟରେ ଏଥିପାଇଁ ସମାଜରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇଥାଏ। ଏମିତି ଜଣେ ଯୁବତୀ ହେଲେ ୨୨ ବର୍ଷୀୟା ଦୀପଶିଖା ଛେତ୍ରୀ। ସେ ଦିଲ୍ଲୀର ଜଣେ ନ୍ୟୁଟ୍ରିସନିଷ୍ଟ । ନିଜକୁ ଏହି କ୍ଷେତ୍ରରେ ପ୍ରତିଷ୍ଠା କରିବାକୁ ତାଙ୍କ ପାଖରେ ଅନେକ ସୁଯୋଗ ଥିଲା। କିନ୍ତୁ ତାଙ୍କର ଲକ୍ଷ୍ୟ ଥିଲା କିଛି ଭିନ୍ନ। କୌଣସି ମୋଟା ବେତନର ଚାକିରି ଅପେକ୍ଷା ସେ ଦେଶର ଦୁର୍ଗମ ଅଂଚଳର ପିଲାମାନଙ୍କର ଉନ୍ନତି କରିବାକୁ ଶ୍ରେୟସ୍କର ମଣିଥିଲ। ସେଥିପାଇଁ ଚାକିରି ଛାଡି ସେ ରାଜସ୍ଥାନର ଏକ ଦୁର୍ଗମ ଗାଁ ‘ଭୁଲ୍ଲା’କୁ ଚାଲିଆସିଥିଲ। ସେଠାକାର ପିଲାମାନଙ୍କର ଶିକ୍ଷାର ଉନ୍ନତି ପାଇଁ କାର୍ଯ୍ୟ କରିଥିଲେ। ଫଳରେ ସେ ପିଲାମାନଙ୍କର ଜୀବନରେ ଉନ୍ନତି ଆସିଥିଲା। ଦୀପଶିଖାଙ୍କୁ ମିଳିଥିଲା ତାଙ୍କର ପରିଶ୍ରମର ଫଳ। ଆଉ ଏଥିରେ ସେ ହୋଇଥିଲେ ସନ୍ତୁଷ୍ଟ।
ଭୁଲ୍ଲା ଗାଁର ‘ରାଜକୀୟ ମାଧ୍ୟମିକ ବିଦ୍ୟାଳୟ’ ଦୀପଶିଖାଙ୍କ ନଜରକୁ ଆସିବା ପୂର୍ବରୁ ଏହି ସ୍କୁଲର ଅବସ୍ଥା ଥିଲା ଅତ୍ୟନ୍ତ ଶୋଚନୀୟ। ସ୍କୁଲକୁ ପ୍ରତିଦିନ ପ୍ରାୟ ୫-୬ କିଲୋମିଟର ଦୂରରୁ ଚାଲି ଚାଲି ପିଲାମାନେ ଆସୁଥିଲ। ଏହା ସେମାନଙ୍କ ପକ୍ଷେ କଷ୍ଟକର ଥିଲା। ତା ସାଙ୍ଗକୁ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଥିଲା ଗୋଟିଏ ଶ୍ରେଣୀଗୃହ। ବର୍ଷାଦିନେ ଏହାର ଅବସ୍ଥା ଆହୁରି ଶୋଚନୀୟ ହୋଇପଡୁଥିଲା। କାହିଁକିନା ସ୍କୁଲ ଛାତରୁ ବର୍ଷା ପାଣି ପଡୁଥିଲା। ପିଲାମାନଙ୍କ ବସିବା ପାଇଁ ନଥିଲା ଟେବୁଲ୍ କି ଚେୟାର। ଏସବୁ ଦେଖିବା ପରେ ଚିନ୍ତିତ ହୋଇପଡିଥିଲେ। ତା’ପରେ ଆରମ୍ଭ କରିଥିଲେ ପ୍ରୟାସ।
ଏଥିରେ ତାଙ୍କୁ ପୂର୍ଣ୍ଣ ସହଯୋଗ କରିଥିଲେ ତାଙ୍କ ବାପା। ଅବସରପ୍ରାପ୍ତ ଆର୍ମି ଅଫିସର ଥିବା ତାଙ୍କ ବାପା ମଧ୍ୟ ସମାଜ ମଙ୍ଗଳ ଦିଗରେ ବିଭିନ୍ନ କାର୍ଯ୍ୟ କରୁଥିଲୋ ବାପାଙ୍କ ଠାରୁ ହିଁ ସମାଜ ସେବା ପାଇଁ ପ୍ରେରିତ ହୋଇଥିଲେ ଦୀପଶିଖା। ସ୍କୁଲର ଦୁରବସ୍ଥା ଦେଖିବା ପରେ ତାଙ୍କର ପ୍ରଥମ କାର୍ଯ୍ୟ ଥିଲା, ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ସହ ଆଲୋଚନା କରିବା। ଆଲୋଚନାରୁ ସେ ଜାଣିପାରିଥିଲେ ଯେ,ପୁରା ସିରୋହୀ ଜିଲ୍ଲାରେ ଏହି ସ୍କୁଲଟି ଶିକ୍ଷା କ୍ଷେତ୍ରରେ ପୁରା ପଛରେ ପଡିଯାଇଛି। ଏହା ତାଙ୍କୁ ଆହୁରି ବ୍ୟଥିତ କରିଥିଲା ଏବଂ ସେ ଏହାର ସମାଧାନ ପାଇଁ ଲାଗିପଡିଥିଲ। ଏହାପରେ ତାଙ୍କର ଦ୍ୱିତୀୟ କାର୍ଯ୍ୟ ଥିଲା ସ୍କୁଲ୍ ପିଲାମାନଙ୍କ ସହ ସମୟ ବିତେଇବା। ପ୍ରାୟ ଏକମାସ କ୍ଲାସରୁମରେ ପିଲାମାନଙ୍କ ସହ ରହିବାରୁ ସେ ଜାଣପାରିଥିଲେ ପିଲାମାନଙ୍କ ମନରେ ନୂତନ ଧାରାରେ ଶିକ୍ଷା ଗ୍ରହଣ କରିବାର ପ୍ରବଳ ଆଗ୍ରହ ରହିଛି। କିନ୍ତୁ ଆର୍ଥିକ ଅଭାବ କାରଣରୁ ସେମାନଙ୍କୁ ସେହି ସୁବିଧା ସୁଯୋଗ ମିଳିପାରୁନାହିଁ।
ସମସ୍ତ ତଥ୍ୟ ସଂଗ୍ରହ ପରେ ଆରମ୍ଭ ହୋଇଥିଲା ଦୀପଶିଖାଙ୍କ କାର୍ଯ୍ୟ। ପ୍ରଥମେ ସେ ପିଲାମାନଙ୍କୁ ଦେଇଥିଲେ ଏକ ଡେସ୍କକିଟ୍। ସ୍କୁଲ୍ ବ୍ୟାଗ ସହ ଏଥିରେ ରହିଥିଲା ପଢିବା ପାଇଁ ଡେସ୍କ। ଏହି ସୁବିଧା ପିଲାମାନଙ୍କ ପଢା ପ୍ରତି ଆଗ୍ରହ ବଢାଇବା ସହ କ୍ଲାସରୁମରେ ସୁରୁଖୁରୁରେ ବସି ପଢିବାର ସୁଯୋଗ ଦେଇଥିଲା। ସଂପୂର୍ଣ୍ଣ ସ୍କୁଲର ରୂପରେଖ ବଦଳାଇବା ପାଇଁ ଦୀପଶିଖା ଆରମ୍ଭ କରିଥିଲେ ଅନଲାଇନ୍ କ୍ୟାମ୍ପେନ ‘ବ୍ରିଙ୍ଗିଙ୍ଗ ହୋପ୍ ଟୁ ଏଜୁକେସନ୍’। ଏହି କ୍ୟାମ୍ପେନ୍ ମାଧ୍ୟମରେ ମିଳିଥିବା ସାହାଯ୍ୟକୁ ସେ ସଂପୂର୍ଣ୍ଣ ଭାବେ ସ୍କୁଲର ଉନ୍ନତି ପାଇଁ ବିନିଯୋଗ କରିଛନ୍ତି। ସାଧାରଣ ସ୍କୁଲମାନଙ୍କ ପରି ଏହି ସ୍କୁଲରେ ମଧ୍ୟ ପିଲାମାନେ ଏବେ ସମସ୍ତ ସୁବିଧା ପାଉଛନ୍ତି। କେବଳ ସ୍କୁଲର ଉନ୍ନତି ଦିଗରେ ନୁହେଁ ,ଗାଁରେ ସୁସ୍ଥ ପରିବେଶ ସୃଷ୍ଟି କରିବା ଦିଗରେ ମଧ୍ୟ ସେ ନେଇଛନ୍ତି ଅନେକ ପଦକ୍ଷେପ। ସ୍ୱାସ୍ଥ୍ୟ ସମ୍ବନ୍ଧିତ ବିଭିନ୍ନ ବିଷୟ ଉପରେ ଲୋକମାନଙ୍କୁ ସଚେତନ କରାଇଛନ୍ତ ସେ। ସେଥିପାଇଁ ଗ୍ରାମବାସୀଙ୍କ ଖୁବ୍ ପ୍ରିୟ ହୋଇଯାଇଛନ୍ତି ସେ। ନିଜ ଖୁସିକୁ ଛାଡି ସେ ଲୋକମାନଙ୍କର ଉନ୍ନତିରେ ଲାଗିଥିବାରୁ ପାଇଛନ୍ତି ଅନେକ ପ୍ରଶଂସା। ଆଜି ଦୀପଶିଖାଙ୍କ ଯୋଗୁଁ ଦୁର୍ଗମ ଅଞ୍ଚଳର ପିଲାମାନେ ପାଇଛନ୍ତି ନୂଆ ଜୀବନ। ସାଜିଛନ୍ତି ଶିକ୍ଷାର ଆଲୋକବର୍ତ୍ତିକା। ଆଉ ଏହାର ସବୁ ଶ୍ରେୟ ଯାଉଛି କେବଳ ଦୀପଶିଖାଙ୍କୁ।