ଚା’ବାଲା ଝିଅ ଚଳାଇବେ ଯୁଦ୍ଧ ବିମାନ

ଭୋପାଳ : କୁହାଯାଏ କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି। ବାରମ୍ବାର ବିଫଳତା ପରେ ବି ଯିଏ ମନକୁ ଦୃଢ କରି ସଫଳତାର ସ୍ୱପ୍ନ ଦେଖିଥାଏ, ଶେଷରେ ସେହିଁ ବିଜୟୀ ହୋଇଥାଏ। ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି।  ଥରେ ନୁହେଁ କି ଦୁଇ ଥର ନୁହେଁ, ପାଞ୍ଚ ପାଞ୍ଚ ଥର  ବାୟୁସେନାର ପରୀକ୍ଷାରେ ଅସଫଳ ହୋଇ ମଧ୍ୟ ସେ ହାର ମାନି ନଥିଲେ। ଆଉ ଶେଷରେ ଆକାଶରେ ଉଡିବା ସ୍ୱପ୍ନକୁ ସେ ସାକାର କରି ଦେଖାଇଥିଲେ।

ମଧ୍ୟପ୍ରଦେଶର ଜଣେ ଚା’ ବାଲାର ଝିଅ ୨୪ ବର୍ଷିୟ ଆଞ୍ଚଲ ଗଙ୍ଗୱାଲା । ତାଙ୍କର ବାପା ମଧ୍ୟପ୍ରଦେଶର ନିମଞ୍ଚ ଜେଲରେ ଚା ବିକ୍ରି କରନ୍ତି। ଏବେ ବାୟୁସେନାର ଯୁଦ୍ଧବିମାନ ଚଳାଇବେ ଆଞ୍ଚଲ। ସେ କହିଛନ୍ତି ,ଉତ୍ତରାଖଣ୍ଡରେ ୨୦୧୩ରେ ପ୍ରବଳ ବନ୍ୟା ଆସିବା ସମୟରେ ସେ ୧୨ କ୍ଲାସରେ ପଢୁଥିଲେ। ସେହି କଠିନ ପରିସ୍ଥିତିରେ ଭାରତୀୟ ବାୟୁସେନା ଯେଉଁଭଳି ଭାବରେ ଲୋକଙ୍କୁ ଉଦ୍ଧାର କରିଥିଲା ତାହା ତାଙ୍କୁ ଅନେକ ପ୍ରଭାବିତ କରିଥିଲା। ସେତେବେଳେ ସେ ବାୟୁସେନାରେ ଯୋଗ ଦେବାପାଇଁ ନିଷ୍ପତ୍ତି ନେଇଥଲେ। କିନ୍ତୁ ସେତେବେଳେ ତାଙ୍କ ପରିବାରର ସ୍ଥିତି ଠିକ୍ ନଥିଲା।  ଆହୁରି ମଧ୍ୟ ସେ କହିଛନ୍ତି ଯେ, ଏୟାରଫୋର୍ସ କମନ ଏଣ୍ଟରାନ୍ସ ପରୀକ୍ଷା ଦେବା ତାଙ୍କ ପାଇଁ ସହଜ କାମ ନଥିଲା। ଏଥିପାଇଁ ସେ ଅନେକ ଦିନରୁ ପ୍ରସ୍ତୁତି କରୁଥିଲେ। ପାଞ୍ଚ ଥର ବାୟୁ ସେନା ପରୀକ୍ଷା ଫେସ ଦେବା  ପରେ ଷଷ୍ଠ ଥରରେ ସେ ଏହି ପରୀକ୍ଷା ପାସ କରିଥିଲେ।

ଦେଶରେ ମୋଟ ୬ଲକ୍ଷ ପ୍ରାର୍ଥୀ ଏହି ପରୀକ୍ଷା ଦେଇଥିବା ବେଳେ ମାତ୍ର ୨୨ ଜଣଙ୍କୁ ଚୟନ କରାଯାଇଥଲା। ଆଞ୍ଚଲ ମଧ୍ୟପ୍ରଦେଶର ଏକ ମାତ୍ର ଝିଅ ଯିଏ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଆଞ୍ଚଲଙ୍କ ବାପା ସୁରେଶ ଗଙ୍ଗୱାଲା କହିଛନ୍ତି ମୋ ଝିଅ ପାଇଁ ମୁଁ ବହୁତ ଖୁସି ଅଛି। ଲୋକମାନେ ଯେତେବେଳେ ଆସି  ଝିଅର ସଫଳତାରେ ଶୁଭେଚ୍ଛା ଦିଅନ୍ତି ,ମତେ ସେତେବେଳେ ବହୁତ ଖୁସି ଲାଗେ।  ଆହୁରି ମଧ୍ୟ ସେ କହିଛନ୍ତି ଯେ, ଆଞ୍ଚଲର ଇନ୍ଦୋରରେ କୋଚିଂ କ୍ଲାସ, ଓ ବଡ ପୁଅକୁ ଇଞ୍ଜିନିୟରିଂ ପଢାଇବା ପାଇଁ ଅନେକ କରଜ କରିଛନ୍ତି  ଏବଂ ତାଙ୍କ ସାନ ଝିଅ ଏବେ ୧୨ କ୍ଲାସରେ ପଢୁଛି। ଆଞ୍ଚଲ ଇନ୍ଦୋରାବାଦ ଡୁଣ୍ଡିଗାଲ ଏୟାରଫୋର୍ସରେ ୩୦ ଜୁନରେ ଯୋଗଦେବେ ।

 

You might also like