ରତ୍ନଭଣ୍ଡାର ଚାବି ପ୍ରସଙ୍ଗ: ଦାମ କହିଲେ ଅରଜିନାଲ ନାହିଁ ଡୁପ୍ଲିକେଟ୍‌ ଆସିଲା କେଉଁଠୁ

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଏବଂ ମିଳିବା ପ୍ରସଙ୍ଗରେ ବରିଷ୍ଠ ବିଜେଡି ନେତା ଡାକ୍ତର ଦାମୋଦର ରାଉତ ମନ୍ତବ୍ୟ ରଖିଛନ୍ତି। ଦାମ କହିଛନ୍ତି ଅରିଜିନାଲ ଚାବି ଦେଖିଲେ ଡୁପ୍ଲିକେଟ୍‌ କରିହେବ। ଏଥିସହ ଅରିଜିନାଲ ଚାବି ହଜିଥିଲେ, ଡୁପ୍ଲିକେଟ୍‌ କେଉଁଠୁ ଆସିବ ବୋଲି ପ୍ରଶ୍ନ କରିଛନ୍ତି ଦାମ।

ସେ  କହିଛନ୍ତି ୪୫ ବର୍ଷ ଭିତରେ କେବେ ରତ୍ନ ଭଣ୍ଡାର ଖୋଲାହେବା ଶୁଣିନାହାନ୍ତି। ୧୯୭୮ରେ ବିଶ୍ୱଭୂଷଣ ହରିଚନ୍ଦନ ଆଇନମନ୍ତ୍ରୀ ଥିବା ବେଳେ ଖୋଲିଥିବା କୁହାଯାଉଛି। ସେତେବେଳେ କ’ଣ ମିଳିଲା, ଚାବି କୁଆଡ଼େ ଗଲା ସେ କହିବା କଥା।

ତେବେ ଏହା ଏକ ରାଜନୈତିକ ଖେଳ ଭଳି ଲାଗୁଛି କହିଛନ୍ତି ଦାମ। ତା’ସହ ରତ୍ନଭଣ୍ଡାର ଚାବିକୁ ନେଇ ସନ୍ଦେହର କୁହେଳିକା ସୃଷ୍ଟି ହୋଇଛି। ଜିଲ୍ଲାପାଳ ଆଜିଯାଏଁ କାହିଁକି ସଠିକ୍‌ ଭାବେ କିଛି କହୁନଥିଲେ ଓ ଏବେ ତଦନ୍ତ କଥା କହି କାହିଁକି ନିଜ ଉପରକୁ ନେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଦାମ।

ତେବେ ଦାମଙ୍କ ମନ୍ତବ୍ୟ ଉପରେ ପୂର୍ବତନ ଆଇନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି,“ଡୁପ୍ଲିକେଟ୍‌ ଚାବି କ’ଣ, ସେକଥା ମୁଁ ଜାଣି ନାହିଁ। ଡୁପ୍ଲିକେଟ୍‌ ଚାବି ନେଇ ଆଇନରେ କିଛି ବ୍ୟବସ୍ଥା ନାହିଁ। ସରକାର କିଛି ଲୁଚାଇବାକୁ ଚାହୁଁଛନ୍ତି। ଜିଲ୍ଲାପାଳ କାହା ନିର୍ଦ୍ଦେଶରେ କାମ କରୁଛନ୍ତି କିଛି ବୁଝାପଡ଼ୁନି। ସଂପୂର୍ଣ୍ଣ ଘଟଣା ପାଇଁ ସରକାର ଦାୟୀ।”

You might also like