‘ଟି’ ଲିଙ୍କ୍‌କୁ ନେଇ ତୀବ୍ର ହେଲା ପଲିଟିକାଲ ବ୍ଲେମ୍‌ ଗେମ୍

ଦାମ- ସର୍ଖେଲ କଳିରେ ଘିଅ ଢାଳିଲେ ବିଷ୍ଣୁ ଦାସ

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ଟିଟୋ ଲିଙ୍କ୍‌କୁ ନେଇ ଆରମ୍ଭ ହୋଇଯାଇଛି ପଲିଟିକାଲ ବ୍ଲେମ ଗେମ୍। ମୁହାଁ ମୁହିଁ ହୋଇଛନ୍ତି ଦାମ, ବିଷ୍ଣୁ ଓ ବାପି ସର୍ଖେଲ। ପାରାଦୀପର କଂଗ୍ରେସ ନେତା ବାପି ସର୍ଖେଲ୍ ଟିଟୋ ଲିଙ୍କ ନେଇ ବିଜେଡିର ବରିଷ୍ଠ ନେତା ଦାମୋଦର ରାଉତ ଓ ତାଙ୍କ ପୁଅ ସମ୍ବିତ୍‌ଙ୍କୁ ଟାର୍ଗେଟ କରିଛନ୍ତି। ଏହାସହ ସେମାନଙ୍କ ଭୂମିକାର ଯାଞ୍ଚ ହେବା ଦରକାର ବୋଲି କହିଛନ୍ତି। ଅନ୍ୟପକ୍ଷରେ ଟିଟୋ ସହ ସର୍ଖେଲ୍ ଲିଙ୍କ୍‌ରେ ଥିବା ଅଭିଯୋଗ ଆଣି STF କାହିଁକି ତାଙ୍କୁ ତଦନ୍ତ ପରିସରଭୁକ୍ତ କରୁ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଦାମ। ଦାମ-ବାପି କଳି ଉଗ୍ର ରୂପ ଧାରଣ କରିଥିବା ବେଳେ ନିଆଁରେ ଘିଅ ଢାଳିଛନ୍ତି ଜଗତ୍‌ସିଂହପୁର ଜିଲା ବିଜେଡି ସଭାପତି ବିଷ୍ଣୁ ଦାସ।

ଗ୍ୟାଙ୍ଗଷ୍ଟର ଟିଟୋ ସହ ଲିଙ୍କ ନେଇ ନେତାଙ୍କ ମଧ୍ୟରେ ଟଣା ଓଟରା ହୋଇ ପରସ୍ପର ନାଁରେ ଅଭିଯୋଗ ଆଣିଛନ୍ତି ଜିଲ୍ଲାର ତିନି ପ୍ରମୁଖ ନେତା ଦାମ ରାଉତ, ବାପି ସର୍ଖେଲ ଓ ବିଷ୍ଣୁ ଦାସ। ଖାସ୍ କରି ଗାଙ୍ଗଷ୍ଟର୍ ଟିଟୋ ସହ ଗିରଫ ବାପୁ ପରିଡାର ସଂପର୍କ ନାହିଁ ବୋଲି ଦାମ କହିବା ପରେ, ତାଙ୍କୁ ଟାର୍ଗେଟ କରିଛନ୍ତି ସର୍ଖେଲ। ଦାମ ବାବୁ କେମିତି ଏକଥା ଜାଣିଲେ, ସେ କଣ ବାପୁ ଓ ଟିଟୋ ମଧ୍ୟରେ ମଧ୍ୟସ୍ଥି କରୁଥିଲେ କି ବୋଲି ପ୍ରଶ୍ନ କରିଛନ୍ତି ବାପି। ଏପରିକି ଦାମଙ୍କୁ ପାରାଦୀପ କ୍ରାଇମ୍ ସିଣ୍ଡିକେଟ୍‌ର ରିଂ ମାଷ୍ଟର ଭାବେ ଅଭିହିତ କରି ଦାମ ଓ ତାଙ୍କ ପୁଅକୁ ତଦନ୍ତ ପରିସରଭୁକ୍ତ କରିବାକୁ ସେ ଦାବି କରିଛନ୍ତି। ଏପଟେ ଦାମ, ବାପିଙ୍କ ଅଭିଯୋଗକୁ ସିଧାସଳଖ ଖଣ୍ଡନ କରିଛନ୍ତି। ଟିଟୋ ଲିଙ୍କ୍‌ରେ ସର୍ଖେଲ୍ ଓ ତାଙ୍କ ସହଯୋଗୀ ସନ୍ତୋଷ ପଟ୍ଟନାୟକଙ୍କୁ  STF କାହିଁକି ତଦନ୍ତ ପରିସରଭୁକ୍ତ କରୁ ନାହିଁ ବୋଲି ଦାମ ପାଲଟା ପ୍ରଶ୍ନ କରିଛନ୍ତି।

ବାପି ଓ ଦାମଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଚାଲିଥିବା ବେଳେ ଦୃଶ୍ୟପଟରେ ଏଣ୍ଟ୍ରି ମାରିଛନ୍ତି ଦାମଙ୍କ ଚିରାଚରିତ ପ୍ରତିଦ୍ୱନ୍ଦ୍ୱି ତଥା ଜଗତ୍‌ସିଂହପୁର ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ। ଦାମଙ୍କୁ ତେରଛା ବାଣ ମାରି ବିଷ୍ଣୁ କହିଛନ୍ତି, ଯଦି STF ତଦନ୍ତରେ ଟିଟୋ ସହ ଦାମଙ୍କ ଲିଙ୍କ ନେଇ ପ୍ରମାଣ ମିଳେ ତେବେ ଜିଲ୍ଲା ସଭାପତି ହିସାବରେ ସେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କରିବେ। ବିଷ୍ଣୁଙ୍କ ଏହି ମନ୍ତବ୍ୟର କଡା ଜବାବ ଦେଇ ଦାମ କହିଛନ୍ତି, ବିଷ୍ଣୁଦାସ ମୋ ସମାସ୍କନ୍ଦ ନୁହେଁ ଓ ସେ ଜଣେ ମଣିଷ ବୋଲି ପ୍ରଶ୍ନ କରିଛନ୍ତି ଦାମ।

ଟିଟୋ ସହ ନେତା ଓ ଅଫିସରଙ୍କ ଲିଙ୍କ ନେଇ ଖୋଳତାଡ଼ କରୁଛି ଏସ୍‌ଟିଏଫ୍ , ତେବେ ତଦନ୍ତକାରୀ ସଂସ୍ଥା କୌଣସି ସିଦ୍ଧାନ୍ତରେ ପହଞ୍ଚିନଥିବା ବେଳେ ନେତାଙ୍କ ମଧ୍ୟରେ ଗୋହି ଖୋଳାଖୋଳି, କେଉଁଠି ନା କେଉଁଠି ଗ୍ୟାଙ୍ଗଷ୍ଟର ସହ ସେମାନଙ୍କ ସଂପୃକ୍ତିକୁ ସୂଚିତ କରୁଛି।

You might also like