ଝୁଲନ୍ତା ଅବସ୍ଥାରେ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର
ଖୋର୍ଦ୍ଧା: ଖୋର୍ଦ୍ଧାରେ ଅଭାବନୀୟ ଘଟଣା। ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଖୋର୍ଦ୍ଧା ଟାଉନ୍ ଥାନା ସାମନ୍ତରାପୁରରେ ଏଭଳି ଅଭାବନୀୟ ଘଟଣା ଘଟିଛି।
ମୃତକ ଦ୍ୱୟ ହେଲେ ସୁଚିସ୍ମିତା ପଟ୍ଟନାୟକ ଏବଂ ତାଙ୍କ ସ୍ୱାମୀ ସୌମ୍ୟକାନ୍ତ ପଟ୍ଟନାୟକ। ଏମାନେ ବାଙ୍କି ପଥୁରୀଆପଡ଼ା ଅଞ୍ଚଳର। ନିଜର ୮ବର୍ଷର ଝିଅ ସହ ଉଭୟେ ସାମନ୍ତରାପୁର ଠେଙ୍ଗାହାଟ ଛକ ସ୍ଥିତ ଏକ ଭଡ଼ାଘରେ ରହୁଥିଲେ।
ତେବେ କେଉଁ ପରିସ୍ଥିତିରେ ଏବଂ କାହିଁକି ଉଭୟଙ୍କ ଏଭଳି ଅବସ୍ଥାରେ ମୃତ୍ୟୁ ଘଟିଛି..ଏହା ହତ୍ୟା ନା ଆତ୍ମହତ୍ୟା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନି। ରାତି ସାରା କୋଠରୀରେ ମୃତଦେହ ସେମିତି ଝୁଲି ରହିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘରକୁ ସିଲ୍ କରିଛି। ତେବେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିବା ପରେ ମୃତଦେହ ଉଦ୍ଧାର ହେବ।
ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ସୌମ୍ୟକାନ୍ତ ଖୋର୍ଦ୍ଧା ଶିଳ୍ପାଞ୍ଚଳର ଏକ କମ୍ପାନୀରେ କାମ କରୁଥିଲେ। କମ୍ପାନୀ କର୍ତ୍ତୃପକ୍ଷ ଦୀର୍ଘ ଦିନ ଧରି ପାରିଶ୍ରମିକ ଟଙ୍କା ଦେଉନଥିଲେ। ଏହାକୁ କେନ୍ଦ୍ର କରି ସୌମ୍ୟକାନ୍ତ ମାନସିକ ଚାପରେ ଥିଲେ ବୋଲି ତାଙ୍କ ଭାଇ ଅଭିଯୋଗ କରିଛନ୍ତି ।