ଏ କ’ଣ ଗୁଣାତ୍ମକ ସ୍ୱାସ୍ଥ୍ୟସେବା; ଭାରବାଡ଼ିରେ ବୁହାହୋଇ ରୋଗୀ ଯାଉଛନ୍ତି ହସ୍ପିଟାଲ

ଉପାନ୍ତ ଅଞ୍ଚଳରେ ବଦଳି ପାରୁନି ରୋଗୀ ସେବାର ସ୍ଥିତି

ନାରାୟଣପାଟଣା: ଯେତେ ଚର୍ଚ୍ଚା ଯେତେ ସମାଲୋଚନା ପରେ ବି ଉପାନ୍ତ ଅଞ୍ଚଳରେ ବଦଳି ପାରୁନି ରୋଗୀ ସେବାର ସ୍ଥିତି । ଗୁରୁତର ରୋଗୀଙ୍କ ସେବାରେ ଆସିପାରୁନି ଆମ୍ବୁଲାନ୍ସ । ଫଳରେ ଠିକ୍ ସମୟରେ ସେବା ନ ପାଇ ଅକାଳରେ ଜୀବନ ହରାଉଛନ୍ତି ବହୁ ନୀରିହ ଲୋକ । କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ ତୁର୍ଲି ଗାଁରେ ପୁଣି ଏମିତି ଏକ ଚିତ୍ର ସାମ୍ନାକୁ ଆସିଛି । ଗାଁକୁ ରାସ୍ତା ନ ଥିବାରୁ ଅସୁସ୍ଥଙ୍କୁ ୮ କିଲୋମିଟର ରାସ୍ତା କାନ୍ଧରେ ବୋହି ହସ୍ପିଟାଲ ନେଇଛନ୍ତି ସମ୍ପର୍କୀୟ । health 4

( ଫାଇଲ୍ ଫଟୋ)

ପାହାଡ଼ି ଇଲାକାରେ ରହୁଥିବା ଆଦିବାସୀଙ୍କ ପାଇଁ ସରକାର କେତେ ଯେ ସମ୍ବେଦନଶୀଳ, ତାର ପୁଣି ଏକ ଉଦାହରଣ ସାମ୍ନାକୁ ଆସିଛି ।  କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ ତୁର୍ଲି ଗାଁ ଚିତ୍ର ଦେଖିଲେ ସ୍ପଷ୍ଟ ଜଣାପଡୁଛି, ଏ ଗାଁକୁ ଭଲ ପାଦଚଲା ରାସ୍ତାଟିଏ ନାହିଁ। ଏପରି ସ୍ଥଳେ ଗାଁକୁ ଆମ୍ବୁଲାନ୍ସ ଆସିବ ବା କେମିତି । ତେଣୁ ଗୁରୁତର ରୋଗୀଙ୍କୁ ଭାରରେ ନେବା ବ୍ୟତୀତ ଗାଁ ଲୋକଙ୍କ ପାଖରେ ଆଉ କିଛି ବିକଳ୍ପ ହିଁ ନାହିଁ । ତିନି ଦିନ ତଳେ ଏ ଗାଁର ମୁଦୁଲି ହୁଇକାଙ୍କୁ ଜ୍ୱର ହେବାରୁ ସେ ଅସୁସ୍ଥ ହୋଇପଡ଼ିଥିଲେ। ହେଲେ ମେଡିକାଲ ନେବାକୁ ଗାଁ ଲୋକଙ୍କ ପାଖରେ ସେଇ ଚିରାଚରିତ ଉପାୟ ଭାର । ଦୀର୍ଘ ୮ କିଲୋମିଟର ପର୍ଯ୍ୟନ୍ତ ରୋଗୀଙ୍କୁ କାନ୍ଧରେ ବୋହି ନେଇ ସ୍ଥାନୀୟ ମାତାଲପୁଟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ସମ୍ପର୍କୀୟ।

health 2

( ଫାଇଲ୍ ଫଟୋ)

ନାରାୟଣପାଟଣା ବ୍ଲକର ଏଇ ମାତ୍ର ଗୋଟିଏ ଗାଁ ନୁହେଁ । ତେନ୍ତୁଳିପଦର, ବିଜାଘାଟି ପଞ୍ଚାୟତ ଅଧୀନରେ ଆସୁଥିବା ବହୁ ଗାଁରେ ରୋଗୀଙ୍କୁ ମେଡିକାଲ ନେବାକୁ ହେଲେ ଏଇ ଭାର ଉପରେ ହିଁ ନିର୍ଭର କରିଥାନ୍ତି ଲୋକେ । ତେବେ ଏସବୁ ମୂଳରେ କେବଳ ଗୋଟିଏ ଅସୁବିଧା ଦାୟୀ । ଗାଁକୁ ରାସ୍ତା ସୁବିଧା ନଥିବାରୁ ବର୍ଷ ବର୍ଷ ଧରି ଏଭିଳି ସମସ୍ୟା ଭୋଗି ଆସୁଛନ୍ତି ଲୋକେ । ଅଭିଯୋଗ ହୋଇଛି ଯେ, ଏହି ଦୁଇ ପଞ୍ଚାୟତର କିଛି ଗାଁକୁ ରାସ୍ତା ଲାଗି ୩ ବର୍ଷ ତଳୁ ଟେଣ୍ଡର ସରିଥିଲେ ବି ଏଯାଏଁ ନିର୍ମାଣ କାମ ଆରମ୍ଭ ହୋଇପାରିନି ।

ତେବେ ପ୍ରଶ୍ନ ଉଠୁଛି ଏ କ’ଣ ବିକଶିତ ଓଡ଼ିଶାର ସ୍ୱାସ୍ଥ୍ୟସେବାର ଚିତ୍ର?? ଏ କ’ଣ ଆମ ସରକାରଙ୍କ ଓଡ଼ିଶା ବିକାଶର ନମୂନା ??

You might also like