କ୍ରୀଡ଼ା ବିଭାଗର ପ୍ରସ୍ତାବ ବିରୋଧରେ ବର୍ଷିଲେ ବିରୋଧୀ ଓ କଳାକାର

ଭୁବନେଶ୍ୱର : ବିରୋଧ ଜୋର୍‌ଦାର। ଶାସକ ଦଳ ଭିତରୁ, ଦଳ ବାହାରୁ ବି। କଳିଙ୍ଗ ଷ୍ଟୁଡିଓ ଭିତରେ ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ ଲାଗି କ୍ରୀଡ଼ା ବିଭାଗର ଏ ପ୍ରସ୍ତାବକୁ ଗତକାଲି ଓଡିଶା ଫିଲ୍ମ ଡେଭଲମେଣ୍ଟ କର୍ପୋରେସନ୍‌ର ଅଧ୍ୟକ୍ଷ ତଥା ବିଜେଡି ନେତା ମୁନ୍ନା ଖାଁ ଦୃଢ଼ ବିରୋଧ କରିଥିଲେ। ଏହାପରେ ଆଜି ପ୍ରେସ୍‌ମିଟ୍ କରି ଦଳରେ ଥିବା ସିନେ କଳାକାରଙ୍କୁ ସାମ୍ନାକୁ ଆଣି କ୍ରୀଡ଼ା ବିଭାଗର ନିଷ୍ପତ୍ତି ଉପରେ ବର୍ଷିଛି ବିଜେପି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏନେଇ ଉଦ୍‌ବେଗ ପ୍ରକାଶ କରିବା ସହ କଳିଙ୍ଗ ଷ୍ଟୁଡିଓକୁ ନୂଆ ରୂପରେ ଗଢ଼ିତୋଳିବା ଲାଗି ସେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀଙ୍କ ସହ ବ୍ୟକ୍ତିଗତ ଭାବେ କଥା ହେବେ ବୋଲି ଟୁଇଟ୍ କରିଛନ୍ତି। ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବି କ୍ରୀଡ଼ା ବିଭାଗର ଏଭଳି ନିଷ୍ପତ୍ତି ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି। ବିବାଦ ବଢୁଥିବା ଦେଖି ସାମ୍ନାକୁ ଆସି ଶିଳ୍ପ ମନ୍ତ୍ରୀ କହିଛନ୍ତି କ୍ରୀଡ଼ା ବିଭାଗର ପ୍ରସ୍ତାବ ଯେ କାର୍ଯ୍ୟକାରୀ ହେବ ତାର କିଛି ମାନେ ନାହିଁ।

ତେବେ ଶିଳ୍ପମନ୍ତ୍ରୀଙ୍କ ଏ ଆଶ୍ୱାସନା କିନ୍ତୁ ସନ୍ତୁଷ୍ଟ କରିପାରିନି ସିନେ କଳାକାରଙ୍କୁ। ବିରୋଧର ସ୍ୱର ଶାଣିତ ହେଉଥିବା ଦେଖି ୟୁ ଟର୍ଣ୍ଣ ମାରିଛି କ୍ରୀଡ଼ା ବିଭାଗ। ଏନେଇ ସ୍ପଷ୍ଟୀକରଣ ଦେଇ କ୍ରୀଡ଼ା ସଚିବ କହିଛନ୍ତି ଏହା କେବଳ ବିଭାଗର ପ୍ରସ୍ତାବ ମାତ୍ର, ସରକାରୀ ସ୍ତରରେ ଏନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ନ୍ୟସ୍ତ ସ୍ୱାର୍ଥରେ ଏହାକୁ ବିବାଦ ଭିତରକୁ ଟଣାଯାଉଛି।

ଏଠି ପ୍ରଶ୍ନ ,କଳାକାରଙ୍କ ଭାବାବେଗ ସହ ଜଡ଼ିତ କଳିଙ୍ଗ ଷ୍ଟୁଡିଓରେ ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ ପ୍ରସ୍ତାବ ବିଭାଗ ସରକାରଙ୍କୁ ଦେଲା କେମିତି ? କ୍ରୀଡ଼ା ସଚିବଙ୍କ ୟୁଟର୍ଣ୍ଣ ପରେ ଏ ବିବାଦ ଏଇଠି ରହୁଛି ନା ଆଗକୁ ବଢୁଛି ତା ଉପରେ ନଜର।

You might also like