୨୦୧୯ ପାଇଁ ଫୁଲ୍ ଜୋସ୍‌ରେ ଓଡ଼ିଶା କଂଗ୍ରେସ

ଭୁବନେଶ୍ୱର:  ନୂଆଦିଲ୍ଲୀର ତୁଗ୍‌ଲକ୍ ଲେନ୍‌ର ରାହୁଲ ଗାନ୍ଧୀଙ୍କ ସରକାରୀ ବାସଭବନରେ ଓଡ଼ିଶା ପିସିସିର ଟିମ୍। ଟିମ୍ ନିରଞ୍ଜନ, ଏଆଇସିସି ପ୍ରଭାରୀ ଓ ରାହୁଲ ଗାନ୍ଧୀଙ୍କ ସହ ମାରାଥନ୍ ବୈଠକ ପରେ ପ୍ରକାଶ ପାଇଛି ୩୩ ସାଂଗଠନିକ ଜିଲ୍ଲା ସଭାପତିଙ୍କ ନାଁ। ପିସିସିର ନୂଆ ଟିମ୍ ଗଠନ ହେବା ପରେ ଜିଲାୱାରୀ ଗସ୍ତ, ସାଧାରଣ ସଭା ଓ ଘନଘନ ବୈଠକ ପରେ ବିଭିନ୍ନ ମାପକାଠିକୁ ଆଖି ଆଗରେ ରଖି ବଛା ହୋଇଛନ୍ତି ଜିଲ୍ଲା ମୁଖିଆ। ଆଗାମୀ ନିର୍ବାଚନରେ ଜିଲ୍ଲା ସଭାପତିମାନେ ହିଁ କଂଗ୍ରେସ ଡଙ୍ଗାକୁ ଦକ୍ଷତାର ସହ କୂଳକୁ ନେବାରେ ସହଯୋଗ କରିବେ ବୋଲି ଆଶା ବାନ୍ଧିଛି ଟିମ୍ ନିରଞ୍ଚନ। ଜିଲ୍ଲା ସଭାପତି ଚୟନରେ ୱାନ୍ ମ୍ୟାନ୍ ୱାନ୍ ପୋଷ୍ଟ ନୀତିକୁ ମଧ୍ୟ ବେଶ୍ ଗୁରୁତ୍ୱ ଦିଆଯାଇଛି।

ବେଶ୍ କିଛିଦିନ ଧରି ଦ୍ୱନ୍ଦ୍ୱାତ୍ମକ ସ୍ଥିତିରେ ଗତି କରୁଥିବା ଓଡ଼ିଶା କଂଗ୍ରେସ ପାଇଁ ଜୁମ୍ବୋ ପିସିସି ଟିମ୍ ଗଠନ କରାଯାଇଥିଲା। କାରଣ ବର୍ତ୍ତମାନର ସ୍ଥିତିରେ ନିଜର କୋର୍ ଭୋଟ୍ ବ୍ୟାଙ୍କ ଓ ପୁରୁଖା ନେତାଙ୍କୁ ହାତଛଡ଼ା କରିବାକୁ ଚାହୁଁନାହିଁ କଂଗ୍ରେସ। ସେଥିପାଇଁ ଜିଲାସ୍ତରରେ ମଧ୍ୟ ଅସନ୍ତୁଷ୍ଟଙ୍କୁ ସାଥୀରେ ନେବା ପାଇଁ ଆବଶ୍ୟକ ସ୍ଥଳେ କାର୍ଯ୍ୟକାରୀ ସଭାପତିଙ୍କୁ ନିଯୁକ୍ତ କରାଯାଇଛି। ସାଂଗଠନିକ ସ୍ଥିତିକୁ ସୁଦୃଢ଼ କରିବା ସହ ଆଗାମୀ ଦିନରେ ମହାନଦୀ ପାଣିକୁ ମୁଖ୍ୟ ନିର୍ବାଚନୀ ମୁଦ୍ଦା କରିବାକୁ ଯୋଜନା କରିଛି କଂଗ୍ରେସ।

କେବଳ ସାଂଗଠନିକ ପୁର୍ନବିନ୍ୟାସ ନୁହେଁ, ବର୍ତ୍ତମାନ ସମୟରେ ଯେଉଁଭଳି ଭାବେ ବିଭିନ୍ନ ନେତା ଗଣମାଧ୍ୟମରେ ଓ ସାଧାରଣରେ ବୟାନବାଜି କରୁଛନ୍ତି, ତା ଉପରେ ମଧ୍ୟ ରୋକ୍ ଲଗାଇବାକୁ ଯୋଜନା ହୋଇଛି। ଏହା ଛଡା କର୍ମୀଙ୍କ ମନରେ ଜୋଶ୍ ଦେବାକୁ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଖୁବ୍ ଶୀଘ୍ର ଓଡ଼ିଶା ଗସ୍ତରେ ଆସିବେ ବୋଲି ସୂଚନା ମିଳିଛି।

You might also like