ପ୍ରଧାନମନ୍ତ୍ରୀଙ୍କୁ ସାଂସଦ ମଲ୍ଲିକାର୍ଜୁନଙ୍କ ଚିଠି, କରୋନା ଲଢ଼େଇରେ ଜିତିବା ପାଇଁ ଦେଲେ ୬ଟି ପରାମର୍ଶ..

ନୂଆଦିଲ୍ଲୀ: ଦେଶରେ  କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ଏହାକୁ ରୋକିବା ପାଇଁ ବିଭିନ୍ନ ପନ୍ଥା ଆପଣାଯାଉଛି । ହେଲେ ସଂକ୍ରମଣ ଥମିବାର ନାଁ ଧରୁନି । ଶେଷରେ ଦେଶ ଏବେ ପୁଣି ଲକ୍‌ଡାଉନ ଏବଂ ସଟ୍‌ଡାଉନ୍‌ ଦିଗ ଆଡ଼କୁ ଗତି କରୁଛି ।

ଏହାରି ଭିତରେ କଂଗ୍ରେସର ସାଂସଦ ମଲ୍ଲିକାର୍ଜୁନ ଖାଡ଼ଗେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି । ଏଥିରେ ସେ କରୋନାକୁ କିପରି ରୋକା ଯାଇପାରିବ ସେନେଇ ମୋଦିଙ୍କୁ ୬ଟି ପରାମର୍ଶ ଦେଇଛନ୍ତି । ଏହା ସହିତ ସେ ଚିଠିରେ ଆହୁରି ଲେଖିଛନ୍ତି, ଏବେ ଭାରତୀୟଙ୍କ ପାଇଁ ଏଭଳି ସମୟ ଆସିଛି ଯେ, ନିଜର ବନ୍ଧୁ ପରିଜନ ତଥା ପରିବାର ଲୋକଙ୍କ ଚିକିତ୍ସା କରିବା ପାଇଁ ସେମାନଙ୍କୁ ନିଜର ଜମିବାଡ଼ି, ଘରଦ୍ୱାର ବିକିବବାକୁ ପଡ଼ୁଛି ଏମିତିକି ଯାହା ଜମା ରାଶି ଥିବ ତାକୁ ମଧ୍ୟ ସେମାନେ ଖର୍ଚ୍ଚ କରିବାକୁ ବାଧ୍ୟ ହେଉଛନ୍ତି ।

ରାଜ୍ୟସଭାରେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ୍ ଖାଡ଼ଗେ ପ୍ରଧାନମନ୍ତ୍ରୀଙ୍କୁ ‘ସାମୂହିକ ତଥା ପାରସ୍ପରିକ ସମ୍ମତି’ ଆଭିମୁଖ୍ୟ ଗ୍ରହଣ କରିବାକୁ ଅନୁରୋଧ କରିବା ସହ କହିଛନ୍ତି ଯେ ଭାରତର ନାଗରିକ ଏବେ ଏକ ‘ଅସାଧାରଣ ଜାତୀୟ ଯୁଦ୍ଧ’ ଲଢ଼ୁଛନ୍ତି । କାରଣ ଅନୁଭବ ହେଉଛି କେନ୍ଦ୍ର ସରକାର ନିଜର କର୍ତ୍ତବ୍ୟ ପାଳନ କରୁନାହାନ୍ତି ।

ଏହି ସମୟରେ ଏକ ସର୍ବଦଳୀୟ ବୈଠକ ଡକାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ପରାମର୍ଶ ଦେଇଛନ୍ତି ଖଡ଼ଗେ । ସର୍ବଦଳୀୟ ବୈଠକ ଜରିଆରେ କରୋନା ସହ ଦେଶ କିଭଳି ଲଢ଼େଇ କରିବ ସେନେଇ ଏକ ସାମୂହିକ ଆଲୋଚନା ହୋଇପାରିବ ଏବଂ ଯୋଜନା ମଧ୍ୟ ପ୍ରସ୍ତୁତ ହୋଇପାରିବ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଟିକା ପାଇଁ ଆବଣ୍ଟିତ ୩୫ ହଜାର କୋଟି ଟଙ୍କାରେ ସମସ୍ତ ଭାରତୀୟଙ୍କୁ କରୋନା ଟିକା ଦିଆଯାଉ ।

ଖାଡ଼ଗେ ଆହୁରି ମଧ୍ୟ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଟିକା ଉତ୍ପାଦନ ବୃଦ୍ଧି ତଥା ଅତ୍ୟାବଶ୍ୟକ ଚିକିତ୍ସା ଉପକରଣ ଉପରେ ଟିକସ ଛାଡ କରାଯାଉ । ଏହା  ଟିକା ଉତ୍ପାଦନ ପାଇଁ ଲାଇସେନ୍ସ ଦିଆଯାଉ । ଟିକା ଉପରେ ପାଞ୍ଚ ପ୍ରତିଶତ, ପିପିଇ କିଟ୍ ଉପରେ ୫ ରୁ ୧୨ ପ୍ରତିଶତ, ଆମ୍ବୁଲାନ୍ସରେ ୨୮ ପ୍ରତିଶତ ଏବଂ ଅମ୍ଳଜାନ କନ୍ସେଣ୍ଟ୍ରେଟରରେ ୧୨ ପ୍ରତିଶତ ଛାଡ଼ କରାଯାଉ ।

ମଲ୍ଲିକାର୍ଜୁନ ଖାଡ଼ଗେଙ୍କ ୬ ପରାମର୍ଶ

୧. କରୋନା ଉପରେ ସର୍ବଦଳୀୟ ବୈଠକ ଡକାଯାଉ । ଯାହାଦ୍ୱାରା କରୋନା ବିରୋଧରେ ଲଢ଼େଇ ପାଇଁ ଏକ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇ ପାରିବ ।

୨. ସାଧାରଣ ବଜେଟରେ, କରୋନା ପାଇଁ ଆବଣ୍ଟିତ ୩୫ ହଜାର କୋଟିର ବ୍ୟବହାର କରି ଲୋକଙ୍କୁ ମାଗଣା ଟିକା ଦିଆଯାଉ ।

୩. ଟିକା ଉତ୍ପାଦନ ବୃଦ୍ଧି କରିବାକୁ ବାଧ୍ୟତାମୂଳକ ଲାଇସେନ୍ସ ନିୟମରେ କୋହଳ କରାଯାଉ । ଯାହାଦ୍ୱାରା ସ୍ୱାସ୍ଥ୍ୟ କ୍ଷେତ୍ରର ବେସରକାରୀ ତଥା ସରକାରୀ ସଂସ୍ଥାମାନେ ମଧ୍ୟ ଟିକା ଉତ୍ପାଦନରେ ସହଯୋଗ କରିପାରିବେ । ଜୀବନ ରକ୍ଷାକାରୀ ଔଷଧ, ଚିକିତ୍ସା ସାମଗ୍ରୀ ଏବଂ ଟିକା ଉପରେ ଜିଏସ୍‌ଟି ଛାଡ଼ କରାଯାଉ । କେନ୍ଦ୍ର ସରକାର ଜନସାଧାରଣଙ୍କ ଅସହାୟତାର ଫାଇଦା ଉଠାଇବା ଉଚିତ୍‌ ନୁହେଁ ।

୪. ବିଦେଶ ତଥା ଭାରତୀୟ ସମୂଦାୟରୁ ଆସୁଥିବା ଚିକିତ୍ସା ସମ୍ବନ୍ଧୀୟ ସାମଗ୍ରୀର ବଣ୍ଟନକୁ ତ୍ୱରାନ୍ୱିତ କରାଯାଉ । ସମସ୍ତ ରାଜ୍ୟକୁ ଯଥାଶୀଘ୍ର ସମାନ ଢ଼ଙ୍ଗରେ ତୁରନ୍ତ ଦିଆଯାଉ ।

୫. ମନରେଗା ଅଧୀନରେ ଦିଆଯାଉଥିବା କାମକୁ ୧୦୦ ଦିନ ପରିବର୍ତ୍ତେ ୨୦୦ ଦିନକୁ ବୃଦ୍ଧି କରାଯାଉ । ଯେଉଁମାନେ ସହରରୁ ଗାଁକୁ ଫେରୁଛନ୍ତି, ସେମାନଙ୍କ ଜୀବିକା ପାଇଁ ମନରେଗା ଅଧୀନରେ ୨୦୦ ଦିନ କାମର ବୃଦ୍ଧି ସହଯୋଗ ହେବ ।

୬. ସରକାର ତାଙ୍କର ସାମୂହିକ ଶକ୍ତିର ଫାଇଦା ଉଠାଇବା ଉଚିତ୍ । କରୋନା ଭଳି ମହାମାରୀର ସହ କେବଳ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ମୁକାବିଲା କରିପାରିବ ନାହିଁ ।

You might also like