ଭୁବନେଶ୍ୱର ରେଳ ଷ୍ଟେସନର ଆଧୁନିକୀକରଣ ଏମ୍ଓୟୁକୁ ନେଇ ବିବାଦ
ଭୁବନେଶ୍ୱର : MOU ନୁହେଁ, MOU ସ୍ୱାକ୍ଷର ସ୍ଥାନକୁ ନେଇ ଟଣାଓଟରା। ରେଳ ମନ୍ତ୍ରାଳୟ ଓ ରାଜ୍ୟ ସରକାରଙ୍କ ଏ ଦୁଇ ଚିଠି ତାର ପ୍ରମାଣ। ମୁହାଁମୁହିଁ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରେଳମନ୍ତ୍ରୀ ପୀୟୁଷ ଗୋୟେଲ୍। ଭୁବନେଶ୍ୱର ରେଳ ଷ୍ଟେସନ୍ ଆଧୁନିକୀକରଣ ଏମ୍ଓୟୁକୁ ନେଇ ଉପୁଜିଛି ଏହି ବିବାଦ। ଗତ ଏପ୍ରିଲ୍ ୨୭ରେ ରେଳମନ୍ତ୍ରୀ ପୀୟୁଷ ଗୋୟଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲେଖିଥିବା ଏହି ଚିଠିରେ ମେ ୨୩ ତାରିଖ ଅର୍ଥାତ ଆସନ୍ତାକାଲି ଦିଲ୍ଲୀରେ MOU ସ୍ୱାକ୍ଷର କଥା ଉଲ୍ଲେଖ କରିଛନ୍ତି। ଏଥିରେ ଯୋଗଦେବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ ବି କରିଛନ୍ତି।
ରେଳମନ୍ତ୍ରୀଙ୍କ ଚିଠି ପାଇବାର ପ୍ରାୟ ତିନି ସପ୍ତାହ ପରେ ଓ କାର୍ଯ୍ୟକ୍ରମର ୨ ଦିନ ପୂର୍ବରୁ ନବୀନ ଚିଠି ଲେଖି MOU ଦିଲ୍ଲୀ ବଦଳରେ ଭୁବନେଶ୍ୱରରେ କରାଯାଉ ବୋଲି କହିଛନ୍ତି। ଭୁବନେଶ୍ୱର ଷ୍ଟେସନ୍କୁ ଏକ ବିଶ୍ୱସ୍ତରୀୟ ଷ୍ଟେସନ୍ ଭାବେ ବିକଶିତ କରିବା ପାଇଁ ଏହି ବୁଝାମଣା ହେବ, ଯେଉଁଥିପାଇଁ ରାଜ୍ୟ ସରକାର ଜମି ଓ ଅର୍ଥ ଯୋଗାଇ ଦେବେ। ଭୁବନେଶ୍ୱର ସହରବାସୀଙ୍କ ପାଇଁ ଏହି ପ୍ରକଳ୍ପ ବେଶ୍ ଗୁରୁତ୍ୱ ରଖୁଥିବାରୁ ଏଠାରେ MOU ସ୍ୱାକ୍ଷର କରାଯାଉ ବୋଲି ନବୀନ ଉଲ୍ଲେଖ କରିଛନ୍ତି। ତେବେ ଏହାକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି।
ଏହି ପ୍ରକଳ୍ପ ପାଇଁ ଗତ ଜାନୁୟାରୀ ୨୦ ତାରିଖରେ ଭୁବନେଶ୍ୱରରେ ବୁଝାମଣା ପତ୍ର ସ୍ୱାକ୍ଷର ପାଇଁ ସମୟ ଧାର୍ଯ୍ୟ ହୋଇଥିଲା। ଏନେଇ ବିଜ୍ଞାପନ ବି ପ୍ରକାଶ ପାଇଥିଲା। ତେବେ ଶେଷ ମୁହୂର୍ତ୍ତରେ ରେଲ୍ୱେ ଅଧିକାରୀ ନଆସିବାରୁ କାର୍ଯ୍ୟକ୍ରମ ବାତିଲ୍ କରିବାକୁ ପଡ଼ିଥିଲା। ଏବେ ପ୍ରଶ୍ନ ଉଠୁଛି କାହିଁକି ସ୍ଥାନକୁ ନେଇ ଟଣାଓଟରା ? ଉଭୟ ଦଳ ଏହି ପ୍ରକଳ୍ପରୁ ରାଜନୈତିକ ଫାଇଦା ଉଠାଇବାକୁ ଚାହୁଁଛନ୍ତି କି ? ଏଭଳି ଟଣାଓଟରା ଦ୍ୱାରା ରେଳ ବିକାଶରେ ବାଧା ସୃଷ୍ଟି ହେଉ ନାହିଁ କି?
କେନ୍ଦ୍ର-ରାଜ୍ୟ ମଧ୍ୟରେ ବିବାଦ କିଛି ନୂଆ ନୁହେଁ। କିନ୍ତୁ MOU ସ୍ଥାନକୁ ନେଇ ଯେଭଳି ଟଣାଓଟରା ପଦାକୁ ଆସିଛି, ତାକୁ ନେଇ ନାନା ପ୍ରଶ୍ନ ଉଠିଛି।