ସମ୍ଭାବ୍ୟ ବନ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା: ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ସମ୍ଭାବ୍ୟ ବର୍ଷା ପରିସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ଏକ ସମୀକ୍ଷା ବୈଠକ କରିଛନ୍ତି। ଆଜି ସଚିବାଳୟରେ ବିଭାଗୀୟ ଅଧିକାରୀଙ୍କ ସହ ପରିସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ସମୀକ୍ଷା ବୈଠକ ପରେ ସ୍ୱତନ୍ତ୍ର ରାଜସ୍ୱ କମିଶନର ବିଷ୍ଣୁପଦ ସେଠୀ କହିଛନ୍ତି, ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଓଡ୍ରାଫ୍‌ ଓ ଏନ୍‌ଡିଆର୍‌ଏଫ୍‌ ଟିମ୍‌କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

୩ଟି ଜିଲ୍ଲା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାରେ ବର୍ଷା ହୋଇଥିବା ଜଣାପଡିଛି। ବର୍ଷାକୁ ଦେଖି ସରକାରୀ ସ୍ତରରେ ଛୁଟି ହେବ କି ନାହିଁ ଜିଲ୍ଲାପାଳ ନିଷ୍ପତ୍ତି ନେବେ। ସମସ୍ତ ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। ଲଘୁଚାପ ଯୋଗୁଁ ସମୁଦ୍ର ଅଶାନ୍ତ ରହୁଥିବାରୁ ସମୁଦ୍ର ଭିତରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ସ୍ଥିତି ଉପରେ ନଜର ରଖିବାକୁ ସବୁ ଜିଲ୍ଲା ଏବଂ ରାଜଧାନୀରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। ଓଡ୍ରାଫ୍, ଅଗ୍ନିଶମବାହିନୀ ଏବଂ ଏନ୍‌ଡିଆର୍‌ଏଫ୍‌କୁ ପ୍ରସ୍ତୁତ ରଖାଯାଇଛି।

ମତ୍ସ୍ୟଜୀବୀ ଯେପରି ସମୁଦ୍ର ମଧ୍ୟକୁ ନଯିବେ ସେଥିଲାଗି ମତ୍ସ୍ୟବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଭୁବନେଶ୍ୱର ଏବଂ କଟକର ତଳିଆ ଅଞ୍ଚଳରେ ଜଳ ନିଷ୍କାସନ ପାଇଁ ବିଏମ୍‌ସି ଏବଂ ସିଏମ୍‌ସି ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ମିଳିଛି। ସେହିପରି ଆସନ୍ତାକାଲି ସ୍ୱାଧୀନତା ଦିବସ ଥିବାରୁ ଉତ୍ସବ ପାଳନ ସ୍ଥଳରେ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ପରେଡରେ ଅଂଶଗ୍ରହଣ କରୁଥିବା ଛାତ୍ରଛାତ୍ରୀ ଯେମିତି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

You might also like