ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱରରେ ପାଳିତ ହୋଇଛି ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ। ମହାତ୍ମାଗାନ୍ଧି ମାର୍ଗରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଏଥିସହ ରାଜ୍ୟବାସୀଙ୍କୁ ସ୍ୱାଧୀନତା ଦିବସର ଶୁଭକାମନା ମଧ୍ୟ ଜଣାଇଥିଲେ ମୁଖ୍ୟମନ୍ତ୍ରୀ। ମିଳିତ ପରେଡ୍‌ରେ ଅଭିବାଦନ ଗ୍ରହଣ ପରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଥିଲେ ମୁଖ୍ୟମନ୍ତ୍ରୀ।

ଏହି ଅବସରରରେ ସେ କହିଥିଲେ, ‘ରାଜ୍ୟରେ ଭିତ୍ତିଭୂମି ବିକାଶ, ସାମାଜିକ ସୁରକ୍ଷା ଏବଂ ସଶକ୍ତିକରଣ ଆମ ପ୍ରଗତିର ମୂଳମନ୍ତ୍ର। ଓଡ଼ିଶା ଆଜି ଆଗକୁ ବଢ଼ିଛି। ଆମକୁ ଆହୁରି ଆଗକୁ ଯିବାକୁ ହେବ। ସରକାର ଚାଷୀ, ମହିଳା, ଯୁବବର୍ଗଙ୍କ ପ୍ରତି ଗୁରୁତ୍ୱ ଦେଇ ଆସିଛନ୍ତି। ଚାଷୀ, ମହିଳା ଓ ଯୁବ ସମାଜକୁ ୧ ପ୍ରତିଶତରେ ଋଣ ଦିଆଯାଉଛି’। ଏମାନେ ହେଉଛନ୍ତି ଆମ ବିକାଶର ମୁଖ୍ୟ ଆଧାର। ଗଣତନ୍ତ୍ରରେ ଜନ କଲ୍ୟାଣ ସହ ଲୋକଙ୍କ ସଶକ୍ତୀକରଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ର ଘୋଷଣା କରିଛନ୍ତି। ଏହାଦ୍ୱାରା ରାଜ୍ୟର ୭୦ ଲକ୍ଷ ପରିବାରର ୩.୫ କୋଟି ଲୋକ ଉପକୃତ ହେବେ। ରାଜ୍ୟର ପ୍ରତ୍ୟେକ ଯୋଗ୍ୟ ପରିବାରକୁ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାପାଇଁ ଆବଶ୍ୟକ ହେଉଥିବା ସମସ୍ତ ଖର୍ଚ୍ଚ ସରକାର ବହନ କରିବେ। ଏହି ଯୋଜନାରେ ପ୍ରତି ପରିବାରକୁ ବାର୍ଷିକ ୫ ଲକ୍ଷ ଟଙ୍କା ଦେୟ ମୁକ୍ତ ସ୍ୱାସ୍ଥ୍ୟ ସୁରକ୍ଷା ମିଳିବ। ସେହିପରି ହିତାଧିକାରୀ ପରିବାରର ମହିଳାମାନଙ୍କୁ ବାର୍ଷିକ ୭ ଲକ୍ଷ ଟଙ୍କାର ଦେୟମୁକ୍ତ ଚିକିତ୍ସା ସହାୟତା ମିଳିବ। ଏହି ଯୋଜନାରେ କୌଣସି ରୋଗୀଙ୍କୁ ସରକାରୀ ଡାକ୍ତରଖାନାରେ ଓଟି ସୁବିଧା, ଅସ୍ତ୍ରୋପଚାର, ଆଇ.ସି.ୟୁ ସେବା, ଅର୍ନ୍ତବିଭାଗ ସେବା ଆଦି ନିମନ୍ତେ କୌଣସି ପ୍ରକାର ଦେୟ ଦେବାକୁ ପଡ଼ିବ ନାହିଁ। ଆଜିଠାରୁ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମାନଙ୍କରେ ମଧ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହେଲ୍ପଡେସ୍କ କାର୍ଯ୍ୟକ୍ଷମ ହୋଇଛି।

 

You might also like