ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭରେ CII ସାମିଲ ନହେବା ନେଇ ବିବାଦ

ଭୁବନେଶ୍ୱର : ଆସନ୍ତା ନଭେମ୍ବର ମାସରେ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭରେ କନ୍‌ଫେଡେରେସନ ଅଫ୍ ଇଣ୍ଡିଆନ ଇଣ୍ଡଷ୍ଟ୍ରି ବା ଭାରତୀୟ ଶିଳ୍ପ ମହାସଂଘ ସାମିଲ ନହେବା ନେଇ ବିବାଦ। ଏନେଇ CIIର ଇଷ୍ଟର୍ଣ୍ଣ ରିଜିଅନର ଅଧ୍ୟକ୍ଷା ଜଗି ମଙ୍ଗତ୍ ପଣ୍ଡାଙ୍କୁ ଦାୟୀ କରିଛି ବିଜେଡି। ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭରେ ସହଯୋଗ ପାଇଁ CII ଗତ ଫେବ୍ରୁଆରୀ ମାସ ପର୍ଯ୍ୟନ୍ତ ସରକାରଙ୍କ ସହ ଯୋଗସୂତ୍ରରେ ଥିଲା,ତେବେ ଜଗି ମଙ୍ଗତ ଇଷ୍ଟର୍ଣ୍ଣ ରିଜିଅନର ଅଧ୍ୟକ୍ଷା ହେବା ପରେ CII ଏଭଳି ମନୋଭାବ ରଖୁଥିବା ଦଳ ଅନୁଭବ କରୁଛି ବୋଲି ଦଳୀୟ ମୁଖପାତ୍ର ସସ୍ମିତ୍ ପାତ୍ର କହିଛନ୍ତି। ଏହା ନିନ୍ଦନୀୟ ବୋଲି ସସ୍ମିତ୍ କହିଛନ୍ତି ।

ତେବେ ବିଜେଡିର ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି CII ଇଷ୍ଟର୍ଣ୍ଣ ରିଜିଅନର ଅଧ୍ୟକ୍ଷା ଜଗି ମଙ୍ଗତ୍। ସେ ଏବେ ଏବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଏବଂ ରାଜ୍ୟ ସରକାରଙ୍କ ସହ ହୋଇଥିବା ଆଲୋଚନାରେ ସେ ଆଦୌ ସଂଶ୍ଳିଷ୍ଟ ନଥିଲେ ବୋଲି ସ୍ପଷ୍ଟ କରିଛନ୍ତି। ସେହିପରି ସେ CIIର ଷ୍ଟେଟ୍ କମିଟିର ସଦସ୍ୟ ମଧ୍ୟ ନାହାନ୍ତି ବୋଲି କହିଛନ୍ତି। ଓଡ଼ିଶା ସଂପର୍କିତ ସମସ୍ତ ନିଷ୍ପତ୍ତି ଷ୍ଟେଟ୍ କାଉନସିଲର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନେଇ ଥାଆନ୍ତି। ବିଗତ ଅନେକ ବର୍ଷ ଧରି CIIର ଓଡ଼ିଶା ବ୍ୟାପାର ସହ ତାଙ୍କର କୌଣସି ସଂପର୍କ ନାହିଁ। CIIର ରାଜ୍ୟ ଅଫିସ୍, ସରକାରଙ୍କ ସହ ଉତ୍ତମ ସହଯୋଗ ରଖି କାମ କରେ ଓ ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭକୁ ସଫଳ କରିବା ଲାଗି ସମସ୍ତ ସହଯୋଗ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ସେପଟେ CII ଓଡ଼ିଶା ଚାପ୍ଟରର ଅଧ୍ୟକ୍ଷ ଅରୁଣ ମିଶ୍ର ଓ ଉପାଧ୍ୟକ୍ଷ ସୁବ୍ରତ୍ ଷଡ଼ଙ୍ଗୀ ନିଜ ପଦରୁ ଇସ୍ତଫା ଦେଇଥିବା ଫୋନରେ ଓଟିଭିକୁ ସ୍ପଷ୍ଟ କରିଛନ୍ତି ,ତେବେ ବିଜେଡିର ଅଭିଯୋଗ ନେଇ CII ଓଡ଼ିଶା ଚାପ୍ଟରର ପ୍ରତିକ୍ରିୟା ମିଳିପାରିନାହିଁ।