ପିଲା ଚୋରି ସନ୍ଦେହ : ଲୋକଙ୍କ ଆକ୍ରୋଶର ଶିକାର ହେଲେ ବୃଦ୍ଧ

ଭୁବନେଶ୍ୱର : ରାଜ୍ୟରେ ଥମୁନି ପିଲା ଚୋର ଗୁଜବ। ପିଲା ଚୋରି ସନ୍ଦେହରେ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ଜଣେ ବୃଦ୍ଧ। କଳାହାଣ୍ଡି ଧର୍ମଗଡ ଥାନା ଅନ୍ତର୍ଗତ କନ୍ତେର ଗାଁ ଅଞ୍ଚଳରେ ଜଣେ ବୃଦ୍ଧ ବୁଲୁଥିଲେ। ଏହି ସମୟରେ ତାଙ୍କୁ ପିଲା ଚୋର ବୋଲି ସନ୍ଦେହ କରି ସ୍ଥାନୀୟ ଲୋକେ ଘେରି ଯାଇଥିଲେ।  ସେ ଧରିଥିବା ଏକ ସିମେଣ୍ଟ ବସ୍ତାକୁ ତଳେ ଅଜାଡି ଦେବା ସହ ଠେଲାପେଲା କରିଥିଲେ। ଖବରପାଇ ଧର୍ମଗଡ ପୋଲିସ ପହଞ୍ଚି ବୃଦ୍ଧଙ୍କୁ ଉଦ୍ଧାର କରିଛି। ତେବେ ବୃଦ୍ଧଙ୍କ ପରିଚୟ ମିଳିପାରିନି।

ସେହିପରି ବୌଦ୍ଧ ଜିଲ୍ଲାରେ ବି ପିଲା ଚୋର ଗୁଜବ ଦେଖିବାକୁ ମିଳିଛି। ମଥୁରା ଗାଁରେ ଜଣେ ମହିଳାଙ୍କୁ ପିଲା ଚୋର ସନ୍ଦେହ କରି ଗାଁ ଲୋକେ ମହିଳାଙ୍କୁ ଅଟକ ରଖିବା ପରେ ବୌଦ୍ଧ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମହିଳା ଜଣକୁ ଉଦ୍ଧାର କରି ଥାନାକୁ ନେଇ ପଚରାଉଚରା ପରେ ଛାଡି ଦେଇଛନ୍ତି।

ଏପଟେ ମନମୁଣ୍ଡା ଥାନା କପାସିରା ଗାଁରେ ମଧ୍ୟ ଦୁଇଜଣ ଯୁବକଙ୍କୁ ପିଲାଚୋର ସନ୍ଦେହରେ ନିସ୍ତୁକ ମାଡ ମାରିଛନ୍ତି ଗାଁ ଲୋକେ। ଖବର ପାଇଁ ମନମୁଣ୍ଡା ପୋଲିସ ଗାଁରେ ପହଞ୍ଚି ଦୁଇ ଯୁବକଙ୍କୁ ଉଦ୍ଧାର କରିବା ସହିତ ଥାନାକୁ ନେଇଛି।

You might also like