ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ଧମକ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ଧମକ। ଛତିଶଗଡ଼ ବିଳାସପୁର ଜେଲ୍ରେ ସଜା କାଟୁଥିବା ଜଣେ କଏଦୀର ଏମିତି ଏକ ଧମକପୂର୍ଣ୍ଣ ଚିଠିକୁ ନେଇ ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ସମ୍ବାଦ ସରବରାହ ସଂସ୍ଥା PTI ପକ୍ଷରୁ ମଧ୍ୟ ଏହି ସୂଚନା ମିଳିଛି।
ଏକ ଚିଠିରେ ଜେଲରେ ସଜା କାଟୁଥିବା ପୁଷ୍ପେନ୍ଦ୍ର ନାଥ ଚୌହାନ (୪୦) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ୫୦ କୋଟି ଟଙ୍କା ଦାବି କରିଥିଲେ। ଏନେଇ ବିଳାସପୁର ଏସ୍ପି ଅରିଫ୍ ଶେଖ୍ ସୂଚନା ଦେଇଛନ୍ତି।
ଏହି ଚିଠିକୁ ଡାକ ମାଧ୍ୟମରେ ପଠା ଯାଇଥିଲା। ଯାହାକି ଅଗଷ୍ଟ ୨୫ ତାରିଖରେ ଓଡ଼ିଶା ପୁଲିସ୍ ଏହି ଚିଠିଟିକୁ ପାଇଥିଲେ ବୋଲି ସେ କହିଛନ୍ତି।
ପୁଷ୍ପେନ୍ଦ୍ର ବହୁ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇ ୨୦୦୯ ମସିହାରୁ ବିଳାସପୁର ଜେଲ୍ରେ ସଜା କାଟୁଛି। ଏହି ଘଟଣାକୁ ନେଇ ତାକୁ ପଚରାଉଚରା ପରେ ସେ ଲୋକଙ୍କ ଧ୍ୟାନ ଆକର୍ଷଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଏମିତି ଧମକପୂର୍ଣ୍ଣ ଚିଠି ଲେଖିଥିବା କଥା ସ୍ୱୀକାର କରିଥିବା ଜଣାପଡ଼ିଛି। ଏହା କେବଳ ଧ୍ୟାନ ଅାକର୍ଷଣ ପାଇଁ ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି ସେନେଇ ପୋଲିସ ଖୋଳତାଡ଼ କରୁଛି।
ପୁଷ୍ପେନ୍ଦ୍ର ମାନସିକ ବିକାରଗ୍ରସ୍ତ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତଦନ୍ତ ପରେ ଓଡ଼ିଶା ପୁଲିସ୍କୁ ରିପୋର୍ଟ ଦିଆଯିବ ବୋଲି ବିଳାସପୁର ଏସ୍ପି କହିଛନ୍ତି।