ହୀରାକୁଦ ଜଳଭଣ୍ଡାର ପଛୁଆ ପାଣିରୁ ମାଛ ମାରୁଛି ଛତିଶଗଡ଼

ଝାରସୁଗୁଡ଼ା : ପାଣି ପରେ ଏବେ ଓଡ଼ିଶାର ମାଛ ଉପରେ ଛତିଶଗଡ଼ି ମାଫିଆ ଓ ମତ୍ସ୍ୟଜୀବୀଙ୍କ ନଜର। ଉପରମୁଣ୍ଡରେ ଛତିଶଗଡ଼ ସରକାରଙ୍କ ଏକାଧିକ ବ୍ୟାରେଜ୍ ନିର୍ମାଣ କାରଣରୁ ଓଡ଼ିଶାର ପ୍ରବେଶ ପଥରୁ ମହାନଦୀ ଶୁଖିଗଲାଣି। ଏହିକାରଣରୁ ତଳମୁଣ୍ଡରେ ଥିବା ଛତିଶଗଡ଼ୀ ମତ୍ସ୍ୟଜୀବୀ ବି ନିଜ ଇଲାକାରୁ ଜୀବିକା ହରାଇ ହୀରାକୁଦ ଜଳଭଣ୍ଡାରର ପଛୁଆ ପାଣିରେ ଅବାଧରେ ମାଛ ମାରୁଛନ୍ତି। ଫଳରେ ସଂକଟରେ ଓଡ଼ିଶାର ମତ୍ସ୍ୟଜୀବୀ।

କଲମା ବ୍ୟାରେଜ୍ ତଳ ମୁଣ୍ଡ ଶୁଖିଲା ପଡ଼ିଥିବାରୁ ପେଟପାଟଣା ପାଇଁ ସେଠାକାର ମତ୍ସ୍ୟଜୀବୀ ଓ ମାଛ ମାଫିଆ ଓଡ଼ିଶା ମୁହାଁ। ଆଉ ଦୁର୍ଦ୍ଦଶାରେ ଲକ୍ଷ୍ମଣ ଓ ବିବେକଙ୍କ ପରି ଲଖନପୁର ବ୍ଲକର ରେମତା, ଧୁଲୁଣ୍ଡା, ଚାଣ୍ଟିପାଲି ଭଳି ୫ଟି ପଞ୍ଚାୟତର ହଜାର ହଜାର ମତ୍ସ୍ୟଜୀବୀ। ସେପଟେ ଜିଲ୍ଲାପ୍ରଶାସନର କହିବା କଥା, ଛତିଶଗଡ଼ୀ ମତ୍ସ୍ୟଜୀବୀଙ୍କ ବେଆଇନ୍ ମାଛ ମରା ଘଟଣା ଏବେ ନଜରକୁ ଆସିଲା, କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ୍‌କୁ ନିର୍ଦ୍ଦେଶ ଦିଆଯାଇଛି।

ମହାନଦୀ ଉପରେ ଛତିଶଗଡ଼ର ଦାଦାଗିରି ପାଇଁ ଦୁଇ ରାଜ୍ୟର ମତ୍ସ୍ୟଜୀବୀ ଏବେ ସଂକଟରେ। ତେଣୁ ପେଟପାଟଣାକୁ ନେଇ ଦେଖାଦେଇଥିବା ଏ ନୂଆ ସଙ୍କଟ ଯେ ଆଗାମୀ ଦିନରେ ଦୁଇ ରାଜ୍ୟ ସୀମାରେ ସଂଘର୍ଷର ରୂପ ନନେବ, କିଏ କହିବ?

You might also like