ମେଡିକାଲ୍ କଲେଜରେ ଆଡମିଶନ୍ ନାଁରେ ଲକ୍ଷ ଲକ୍ଷ ଟଙ୍କାର ଠକେଇ : କଟକ ରେଶମା ସାଇନ୍ସ କଲେଜ୍ ବିରୋଧରେ ଅଭିଯୋଗ ଆଣିଲେ ଅଭିଭାବକ

କଟକ:ମେଡିକାଲ୍ କଲେଜ୍‌ରେ ଆଡମିଶନ୍ ନାଁରେ ଲକ୍ଷ ଲକ୍ଷ ଟଙ୍କାର ଚୁନା। ୨୦ରୁ ଅଧିକ ଲୋକଙ୍କଠାରୁ ଠକା ଯାଇଛି ପ୍ରାୟ ଦେଢ଼ରୁ ୨ କୋଟି ଟଙ୍କା। ଏଭଳି ସାଂଘାତିକ ଅଭିଯୋଗ ଆସିଛି କଟକ ଜଗତପୁରସ୍ଥିତ ରେଶମା ସାଇନ୍ସ କଲେଜ୍ ନାଁରେ। ଝାଡ଼ଖଣ୍ଡ ଜାମସେଦପୁରର ସୁରେନ୍ଦ୍ର ସିଂଙ୍କ ଅଭିଯୋଗ ହେଲା- ଗତବର୍ଷ ଭୁବନେଶ୍ୱର ହାଇଟେକ୍ ମେଡିକାଲ୍ କଲେଜ୍‌ର ଏମ୍‌ବିଏସ୍ କୋର୍ସରେ ନିଜ ପୁଅର ଆଡମିଶନ ପାଇଁ ତାଙ୍କ ପାଖକୁ ମେସେଜ୍ ଆସିଥିଲା। ରେଶମା ସାଇନ୍ସ କଲେଜ୍ ନାଁରେ ଏଥିପାଇଁ ପ୍ରଥମେ ୪ ଲକ୍ଷ ୯୦ ହଜାର ଟଙ୍କା ଜମା କରିବାକୁ କୁହାଯାଇଥିଲା। ସେ ଅନୁଯାୟୀ କଲେଜ୍ ନାଁରେ ଥିବା ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିଥିଲେ ସୁରେନ୍ଦ୍ର।

ତେବେ ମେଡିକାଲ୍ କଲେଜରେ ଆଡମିଶନ୍ ପାଇଁ ପହଞ୍ଚିବା ବେଳେ କର୍ତ୍ତୃପକ୍ଷ ଏହି ମେସେଜକୁ ଜାଲ୍ ବୋଲି କହିଥିଲେ। ସମାନ ଅଭିଯୋଗ ଆଣିଛନ୍ତି ଆଉ ଜଣେ ଅଭିଭାବକ ବିରଞ୍ଚି କୁମାର ମଲ୍ଲିକ। ସମାନ ଢଙ୍ଗରେ ତାଙ୍କଠାରୁ ପ୍ରାୟ ୧୫ ଲକ୍ଷ ଟଙ୍କା ଠକାଯାଇଛି ଆଡମିଶନ୍ ନହେବା ପରେ ରେଶମା କଲେଜ୍ କର୍ତ୍ତୃପକ୍ଷ କିଛି ଅଭିଭାବକଙ୍କୁ ଚେକ୍ ଦେଇଥିଲେ। ତେବେ ସେଗୁଡ଼ିକ ବାଉନ୍ସ ହୋଇଯାଇଥିଲା। ପୁଣି ଦ୍ୱିତୀୟ ଥର ଏଗ୍ରିମେଣ୍ଟ ସହ ଦିଆଯାଇଥିବା ଚେକ୍ ବି ବାଉନ୍ସ ହୋଇଥିଲା। ଆଜି ଅଭିଭାବକମାନେ ମେଳି କରି କଲେଜରେ ପହଞ୍ଚିବା ବେଳକୁ ଅଧ୍ୟକ୍ଷଙ୍କ ଦେଖା ମିଳିନଥିଲା।

ଅଭିଯୋଗ ସଂପର୍କରେ କଲେଜ୍ ଅଧ୍ୟକ୍ଷ ରଘୁନାଥ ବେହେରା କିମ୍ବା ଅନ୍ୟ କୌଣସି କର୍ମଚାରୀ କ୍ୟାମେରା ଆଗରେ ମୁହଁ ଖୋଲିନାହାନ୍ତି। ତେବେ ଅଧ୍ୟକ୍ଷ ଫୋନ୍ ଯୋଗେ କହିଛନ୍ତି, ସେ ଅଭିଭାବକଙ୍କ ସହ ଏ ସଂପର୍କରେ କଥା ହୋଇଛନ୍ତି।

ସେପଟେ ହାଇଟେଲ୍ ମେଡିକାଲ୍ କଲେଜ୍ କର୍ତ୍ତୃପକ୍ଷ କହିଛନ୍ତି, ଆଡମିଶନ୍ ନାଁରେ ଟଙ୍କା ଆଦାୟ କରିବାକୁ କୌଣସି କଲେଜକୁ କୁହାଯାଇନାହିଁ। ଏଭଳି ଠକେଇ ନେଇ ଅଭିଭାବକମାନେ ପୋଲିସରେ ଅଭିଯୋଗ କରିବାକୁ ଚିନ୍ତା କରୁଛନ୍ତି। ଏ ସଂପର୍କରେ ଅଭିଭାବକମାନେ ଆଜି ସଂଧ୍ୟାରେ କଟକ ଡିସିପିଙ୍କୁ ଭେଟିଛନ୍ତି।

You might also like