ଅବହେଳିତ ଅବସ୍ଥାରେ ବାରିପଦାର ସର୍ବପୁରାତନ ସଂଗ୍ରହାଳୟ

ବାରିପଦା: ମେ ୧୮ ତାରିଖକୁ ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ରୂପେ ପାଳନ କରାଯାଉଥିବାବେଳେ ଅବହେଳିତ ଅବସ୍ଥାରେ ବାରିପଦାର ସର୍ବପୁରାତନ ସଂଗ୍ରହାଳୟ। ୧୧୫ ବର୍ଷର ଏହି ସଂଗ୍ରହାଳୟକୁ ପୁନରୁଦ୍ଧାର କରି ଏହାର ରକ୍ଷଣାବେକ୍ଷଣ କରିବାକୁ ଦାବି କରିଛନ୍ତି ବାରିପଦାବାସୀ।

ସପ୍ତମ ଶତାଦ୍ଦୀରୁ ୧୭ଶହ ଶତାଦ୍ଦୀର ଅନେକ ମୂଲ୍ୟବାନ ସାମଗ୍ରୀ ଯଥା ମାଟିପାତ୍ର,ପିତ୍ତଳ ପାତ୍ର, ଗରା,ହାଣ୍ଡି, ମାଠିଆ ସହ ରାଜା ମହାରାଜା ବ୍ୟବହାର କରୁଥିବା ଖଣ୍ଡା, ଢାଲ,ବସ୍ତ୍ର,ଟଙ୍କାପଇସା, ମୋହର, ଅଳଙ୍କାର, ତୋପ, ଗୋଳାବାରୁଦ ଆଦି ରହିଛି ଏହି ମ୍ୟୁଜିୟମରେ। ଏହାସହ ମୟୂରଭଞ୍ଜର ବିଭିନ୍ନ ପ୍ରାନ୍ତରୁ ଉଦ୍ଧାର ହୋଇଥିବା ବିଭିନ୍ନ ଦେବାଦେବୀଙ୍କ ପଥର ପ୍ରତିମୂର୍ତ୍ତି ସହ ଶିବ, ଦୁର୍ଗା,ଗଣେଶ ଆଦି ପୂରାତନ ମୂର୍ତ୍ତି ଶୋଭା ପାଉଛି ଏଠାରେ।

ହେଲେ ୧୧୫ ବର୍ଷର ଏହି ପୁରାତନ ସଂଗ୍ରହାଳୟ ଏବେ ଅବହେଳିତ ଅବସ୍ଥାରେ। ୧୨ ବର୍ଷ ଧରି ସଂଗ୍ରହାଳୟରେ କର୍ମଚାରୀଙ୍କ ଅଭାବ ଯୋଗୁ ଏହାର ରକ୍ଷଣାବେକ୍ଷଣ ହୋଇପାରୁନାହିଁ। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଯୁବପିଢୀ।

୧୯୦୩ ମସିହାରେ ବାରିପଦାରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଏହି ମ୍ୟୁଜିୟମ ପ୍ରତିଷ୍ଠା କରିଥିଲେ। ଏବେ ଏହାର ନୂତନ କୋଠା ସଂସ୍କୃତି ଭବନ ପରିସରରେ ରହିଛି। ଓଡିଶାର ସର୍ବପୁରାତନ ଏହି ସଂଗ୍ରହାଳୟର ସ୍ଥିତି ସଂପର୍କରେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାରୁ ଖୁବଶୀଘ୍ର ଏହାର ଉନ୍ନତିକରଣ କରାଯିବ ବୋଲି କହିଛନ୍ତି ମୟୁରଭଞ୍ଜ ଏଡିଏମ୍।

You might also like