ଦେଶର ଏକମାତ୍ର ପୋଷ୍ଟାଲ ପ୍ରିଣ୍ଟିଂ ପ୍ରେସ୍‌ ବନ୍ଦ ହେବ

ଭୁବନେଶ୍ୱର: ଓଡିଶାରେ ବନ୍ଦ ହେବ ଆଉ ଏକ କେନ୍ଦ୍ରୀୟ ଅନୁଷ୍ଠାନ। ରାଜଧାନୀର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ପୋଷ୍ଟାଲ ପ୍ରିଣ୍ଟିଂ ପ୍ରେସ୍‌କୁ ବନ୍ଦ କରିଦେବା ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଦେଶର ଏକମାତ୍ର ପୋଷ୍ଟାଲ ପ୍ରିଣ୍ଟିଂ ପ୍ରେସ୍ ଭାବେ ଏଠାରୁ ଡାକ ବିଭାଗ ଲାଗି ଆବଶ୍ୟକ ଫର୍ମ, ଲଫାପା, ପାସ୍ ବୁକ୍ ଓ ଅନ୍ୟାନ୍ୟ ସାମଗ୍ରୀ ଛପାଯାଉଥିଲା। ତେବେ କେନ୍ଦ୍ର ସରକାର ହଠାତ୍ କାହିଁକି ଏହାକୁ ବନ୍ଦ କରିଦେବାକୁ ନିଷ୍ପତ୍ତି ନେଲେ ତାହା ସ୍ପଷ୍ଟ ହୋଇନି। ଏପଟେ ପ୍ରେସ୍‌ ବନ୍ଦ ନିଷ୍ପତ୍ତିକୁ ଏଠାରେ କାର୍ଯ୍ୟରତ କର୍ମଚାରୀ ବିରୋଧ କରିଛନ୍ତି।

୧୯୮୬ ମସିହାରେ ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ପ୍ରତିଷ୍ଠା ହୋଇଥିବା ଦେଶର ଏକମାତ୍ର ପୋଷ୍ଟାଲ ପ୍ରିଣ୍ଟିଂ ପ୍ରେସ୍‌କୁ ବନ୍ଦ କରି ଦେବେ କେନ୍ଦ୍ର ସରକାର। ଏନେଇ ଡାକ ବିଭାଗ ପକ୍ଷରୁ ଓଡ଼ିଶା ସର୍କଲ ମୁଖ୍ୟ ମହାଡାକପାଳଙ୍କୁ ଜଣାଇ ଦିଆଯାଇଛି। ପ୍ରେସ୍ ବନ୍ଦ ହେବାକୁ ଯାଉଥିବାରୁ ଆଉ ଛପା ସାମଗ୍ରୀ ନ କିଣିବା ଲାଗି କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ସେହିପରି ଗଚ୍ଛିତ ଥିବା ଛପା ସାମଗ୍ରୀକୁ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ରହିଛି। ତେଣୁ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ଅତି ଶୀଘ୍ର ଯେ ପ୍ରେସ୍‌ରେ ତାଲା ଝୁଲିବାକୁ ଯାଉଥିବା ସ୍ପଷ୍ଟ ହେଉଛି। ଅନ୍ୟପକ୍ଷରେ ଏଠାରେ କାର୍ଯ୍ୟରତ ୧୪୬ ଜଣ କର୍ମଚାରୀ କେନ୍ଦ୍ରର ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ପ୍ରତିବାଦରେ ସେମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ଦେଶର ଏକମାତ୍ର ପୋଷ୍ଟାଲ ପ୍ରେସ୍ ଭାବେ ମଞ୍ଚେଶ୍ୱର ନାଁ ରହିଥିଲା। ସାରା ଦେଶରେ ଆବଶ୍ୟକ ହେଉଥିବା ୧୪ଶହ ଫର୍ମ ମଧ୍ୟରୁ ଏଠାରେ ପ୍ରାୟ ୪ଶହ ପ୍ରକାର ଫର୍ମ ଛପା ହେଉଥିଲା। ତେବେ ଉପଯୁକ୍ତ ମେସିନ ଓ କର୍ମଚାରୀଙ୍କ ଅଭାବରୁ ଏଠାରୁ ଆବଶ୍ୟକତା ଅନୁଯାୟୀ ପୋଷ୍ଟାଲ ସାମଗ୍ରୀ ଛପାଯାଇପାରୁନାହିଁ। ସେହିପରି ଏଠାରେ ଏବେ ଆବଶ୍ୟକ ହେଉଥିବା ଅତ୍ୟାଧୁନିକ ମେସିନ ଓ ଅନ୍ୟାନ୍ୟ ସରଞ୍ଜାମ ମଧ୍ୟ ନାହିଁ। ଫଳରେ ସରକାରଙ୍କୁ କ୍ଷତି ସହିବାକୁ ପଡୁଛି। ସେ ଦୃଷ୍ଟିରୁ ପ୍ରେସ୍‌କୁ ବନ୍ଦ କରିବା ଲାଗି ନିଷ୍ପତ୍ତି ହୋଇଥିବା କୁହାଯାଉଛି। ତେବେ ପ୍ରେସ୍‌ ବନ୍ଦ ହେଲେ ସେମାନଙ୍କୁ କେଉଁଆଡେ ସ୍ଥାନାନ୍ତର କରାଯିବ ଓ ସେମାନଙ୍କ ଭବିଷ୍ୟତ କ’ଣ ହେବ ତାକୁ ନେଇ କର୍ମଚାରୀ ଆଶଙ୍କାରେ ରହିଛନ୍ତି।