ରାଜ୍ୟର ୨୮୯ ଏନ୍‌ଜିଓକୁ ରେଡ଼୍ ସିଗ୍‌ନାଲ୍‌

ଭୁବନେଶ୍ୱର: ରାଜ୍ୟର ଏନ୍‌ଜିଓଙ୍କୁ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ରେଡ୍ ସିଗ୍‌ନାଲ୍‌। ଅନୁଦାନ ଅର୍ଥ ହେରଫେରକୁ ନେଇ ତନାଘନା ପରେ ପ୍ରକାଶ ପାଇଲା ଖରାପ ଏନ୍‌ଜିଓ ତାଲିକା। ଦେଶର ୯୨୪ଟି ଏନ୍‌ଜିଓ ଖରାପ ତାଲିକାଭୁକ୍ତ ହୋଇଥିବା ବେଳେ ଏଥିରେ ଓଡ଼ିଶାରୁ ରହିଛି ସର୍ବାଧିକ ୨୮୯। କେବଳ କାଗଜ କଲମରେ ଚାଲିଛି ଅନେକ ଏନ୍‌ଜିଓ ସଂସ୍ଥା। ଢେଙ୍କାନାଳ, ନୟାଗଡ, କୋରାପୁଟ ସମେତ ଅନ୍ୟ ଜିଲ୍ଲାର ଏଭଳି ଅନେକ ଏନ୍‌ଜିଓଙ୍କୁ ଖରାପ ତାଲିକାଭୁକ୍ତ କରାଯାଇଛି। ଏମାନଙ୍କ ମଧ୍ୟରୁ କିଛି ସଂସ୍ଥାକୁ କଳାତାଲିକାଭୁକ୍ତ କରାଯାଇଥିବା ବେଳେ ଆଉ କିଛି ସଂସ୍ଥା କଳା ତାଲିକାଭୁକ୍ତ ହେବା ପ୍ରକ୍ରିୟାରେ ଅଛନ୍ତି। ସେହିପରି ଆଉ କିଛି ସଂସ୍ଥାର ଆର୍ଥିକ ଅନୁଦାନକୁ ବନ୍ଦ କରାଯାଇଛି।

କେନ୍ଦ୍ରର ଏହି ନିୟମାବଳୀ ଅନୁସାରେ ଏନ୍‌ଜିଓଗୁଡିକୁ ଖରାପ ତାଲିକାଭୁକ୍ତ କରାଯାଇଛି। କୌଣସି ଏକ ମନ୍ତ୍ରଣାଳୟ ଦ୍ୱାରା କଳାତାଲିକାଭୁକ୍ତ ହୋଇଥିବା ଏନ୍‌ଜିଓ, ଖରାପ ପ୍ରଦର୍ଶନ ପାଇଁ ଆର୍ଥିକ ଅନୁଦାନ ବନ୍ଦ ରଖାଯାଇଥିବା ସଂସ୍ଥା, ଖିଲାପକାରୀ ଓ ଦର୍ପଣ ପୋଟାଲ୍‌ରେ ପଞ୍ଜିକୃତ ହୋଇନଥିବା ଏନ୍‌ଜିଓ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ରର କାର୍ଯ୍ୟାନୁଷ୍ଠାନ ପରେ  ରାଜ୍ୟ ସରକାର ମଧ୍ୟ ଏନ୍‌ଜିଓମାନଙ୍କ କାର୍ଯ୍ୟକଳାପ ଉପରେ ନଜର ରଖୁଛନ୍ତି ନା ନାହିଁ ତାକୁ ନେଇ ଉଠିଛି ପ୍ରଶ୍ନ।

ଅନେକ ସଂସ୍ଥା ବିଦେଶ ଓ କେନ୍ଦ୍ରଠାରୁ କୋଟି କୋଟି ଟଙ୍କାର ଅନୁଦାନ ଆଣୁଥିଲେ ମଧ୍ୟ ତାର ସଦୁପଯୋଗ କରୁନଥିବା ଅଭିଯୋଗ ହେଉଛି। ଏଭଳି ଅଭିଯୋଗ ନେଇ ପୂର୍ବରୁ ପ୍ରାୟ ୧ହଜାର ଏନ୍‌ଜିଓକୁ କଳା ତାଲିକାଭୁକ୍ତ କରିଥିଲା କେନ୍ଦ୍ର। ତେବେ ଅନୁଦାନ ଆଣୁଥିବା ଏନଜିଓଙ୍କ କାର୍ଯ୍ୟକଳାପକୁ କିପରି ଅନୁଧ୍ୟାନ କରାଯାଇପାରିବ ଏବେ ତାହା ବଡ଼ ପ୍ରଶ୍ନ।

 

You might also like