୭୦ବୟସରେ ଏକାକୀ ଖୋଳିଲେ ତିନି କି.ମି ଲମ୍ବର କେନାଲ

କେନ୍ଦୁଝର : ବିଶାଳ ପାହାଡ଼କୁ ଏକାକୀ ଖୋଳି ସମସ୍ତଙ୍କ ପାଇଁ ରାସ୍ତା ତିଆରି କରିବାର କାହାଣୀକୁ ନେଇ ବେଶ୍ ଚର୍ଚ୍ଚିତ ହୋଇଥିଲା ହିନ୍ଦୀ ଫିଲ୍ମ ‘ମାଂଝୀ ଦ ମାଉଣ୍ଟେନ୍ ମ୍ୟାନ୍’। ତେବେ ଏହି ମାଂଝୀଙ୍କ ଭଳି ଅନେକ ଉଦାହରଣ ଆମ ରାଜ୍ୟରେ ବି ଅଛନ୍ତି।

ଏମିତି ଜଣେ ବ୍ୟକ୍ତି ହେଲେ ଦୈତାରୀ ନାୟକ। ବୟସ ପ୍ରାୟ ୭୦ ପାଖାପାଖି । ଘର କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ବୈତରଣୀ ଗାଁରେ। ହେଲେ ତାଙ୍କ ପରିଚୟ କେବଳ ଏତିକିରେ ସୀମିତ ନୁହେଁ। ଆଖପାଖ ଅଞ୍ଚଳରେ ନିଜ ପାଇଁ ଝରଣା ମାନବର ପରିଚୟ ପାଇଛନ୍ତି। ଦୈତାରୀ ତାଙ୍କ କାର୍ଯ୍ୟ ଆଉ ସାହାସକୁ ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହେବ। କାରଣ ଦୈତାରୀ ନିଜ ହାତରେ ଖୋଳିଛନ୍ତି ୩ କିଲେମିଟର ଲମ୍ବର କେନାଲ। ଯେଉଁଥିରେ ଏବେ ବର୍ଷ ତମାମ ପାଣି ଆସିବା ସହ ବୈତରଣୀ ଗାଁର ପ୍ରାୟ ୧୦୦ ଏକରରୁ ଅଧିକ ଜମି ଜଳସେଚନ ହୋଇ ପାରୁଛି।

ଦୈତାରୀଙ୍କର ମନୋବଳ ବେଶ୍ ଦୃଢ଼। ଚାଷ ଉପରେ ନିର୍ଭର କରି ଚଳୁଥିବା ଦୈତାରୀଙ୍କ ଜମିକୁ ପାଣିର ସୁବିଧା ନଥିଲା। ଏଥିପାଇଁ ଶାସନ କି ପ୍ରଶାସନ ପାଖକୁ ନଦୌଡ଼ି ନିଜେ କେମିତି ଜମିରେ ପାଣି ପହଞ୍ଚାଇବେ ସେଇ ଚିନ୍ତାରେ ଥିଲେ ଦୈତାରୀ। ପରେ ତାଙ୍କ ନଜରକୁ ଆସିଥିଲା ସ୍ଥାନୀୟ ଗୋନାସିକା ପାହାଡ। ଏହି ପାହଡରୁ ବହି ଆସିଥିବା କରତକଟା ନାଳକୁ ୩ କିଲୋମିଟର ଦୂର ଜମିକୁ ନେବା ଲାଗି ପଣ କରିଥିଲେ। ଆଉ ଏହି ଲକ୍ଷ୍ୟରେ ନିଜେ କୋଦାଳ ଓ ଶାବଳ ଧରି ଆରମ୍ଭ କରିଥିଲେ କେନାଳ ଖୋଳା।

୧୯୯୭ରୁ ଆରମ୍ଭ ହୋଇଥିବା କାମ ୨୦୦୧ରେ ଶେଷ ହୋଇଥିଲା। ଅବଶ୍ୟ ଦୈତାରୀଙ୍କ ଝୁଙ୍କ ଦେଖି କିଛି ମାସ ପରେ ତାଙ୍କ ଅନ୍ୟ ଭାଇମାନେ ବି ତାଙ୍କୁ ସହାୟତା କରିଥିଲେ । 

You might also like