୪ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲା ରାଜସ୍ୱ ଅମଲା ସଙ୍ଘ

ଭୁବନେଶ୍ୱର: ଦାବି ହାସଲ ପାଇଁ ରାଜଧାନୀରେ ଗର୍ଜିଲେ ରାଜସ୍ୱ ଅମଲା ସଙ୍ଘ କର୍ମଚାରୀ। ୪ ଦଫା ଦାବିରେ ଆଜି ଲୋୟର ପିଏମ୍‌ଜିରେ ବିଶାଳ ରାଲିରେ ଏକାଠି ହୋଇଥିଲେ ହଜାର ହଜାର କର୍ମଚାରୀ। ଦାବୀ ପୂରଣ ନହେଲେ ଆସନ୍ତାକାଲିଠାରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଆନ୍ଦୋଳନ ଚାଲୁ ରଖିବାକୁ ନିଷ୍ପତ୍ତି ନେଇଛି ସଙ୍ଘ। ରାଜସ୍ୱ ଅମଲା କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଯୋଗୁଁ ରାଜ୍ୟର ବିଭିନ୍ନ ତହସିଲ୍ ଓ ଆରଆଇ ଅଫିସ୍‌ରେ ସାଧାରଣ ଲୋକେ ହଇରାଣ ହେଉଛନ୍ତି। ତେବେ ସେମାନଙ୍କ ଦାବି ବିଚାରାଧୀନ ରହିଛି। ଆନ୍ଦୋଳନ ଛାଡ଼ି କାମକୁ ଫେରନ୍ତୁ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି।

ମୁଖ୍ୟତଃ ୪ଟି ଦାବିକୁ ଗୁରୁତ୍ୱ ଦେଇଛି ସଙ୍ଘ। ଜିଲ୍ଲା ସ୍ତରର ଅମଲାମାନଙ୍କ କିରାଣୀ ପଦର ନାଁ ପରିବର୍ତ୍ତନ କରି ସ୍ୱତନ୍ତ୍ର ପାହ୍ୟା ଲାଗୁ, ଜିଲ୍ଲାସ୍ତରରେ କାର୍ଯ୍ୟରତ କର୍ମଚାରୀଙ୍କ ଦରମା ୯, ୩୦୦ଟଙ୍କାକୁ ବୃଦ୍ଧି, ଶତକଡ଼ା ପଦୋନ୍ନତି କ୍ଷେତ୍ରରେ ୭୫ ଭାଗ ପଦ ରାଜସ୍ୱ ଅମଲା କର୍ମଚାରୀଙ୍କ ପାଇଁ ସଂରକ୍ଷଣ, ଓ ଚୁକ୍ତିଭିତ୍ତିକ ନିଯୁକ୍ତି ଅଧିସୂଚନା ଉଚ୍ଛେଦ କରିବାକୁ ସଙ୍ଘ ଦାବି କରିଛି।

ମେ’ ୧ରୁ ରାଜ୍ୟବ୍ୟାପୀ ସମୂହ ଛୁଟିରେ ଅଛନ୍ତି ରାଜସ୍ୱ ଅମଲା ସଙ୍ଘର କର୍ମଚାରୀ। ଫଳରେ ରାଜ୍ୟର ବିଭିନ୍ନ ରାଜସ୍ୱ କାର୍ଯ୍ୟାଳୟରେ ଏହାର ପ୍ରଭାବ ପଡ଼ିଛି। କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ସାଧାରଣ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି।

 

ଆହୁରି ପଢ଼ନ୍ତୁ

You might also like