ଉଜ୍ଜ୍ୱଳାକୁ ନେଇ ବାକ୍ ଯୁଦ୍ଧ ପରେ ଚିଠି ଲଢ଼େଇ, ନେତାଙ୍କ ପରେ ମଇଦାନ୍‌ରେ ସଚିବ

ଭୁବନେଶ୍ୱର: ଉଜ୍ୱଳାକୁ ନେଇ ବଢୁଛି ବିବାଦ। କଥାର ଲଢ଼େଇ ଏବେ କଲମ ପର୍ଯ୍ୟନ୍ତ ପହଞ୍ଚିଛି। ନେତାଙ୍କ ପରେ ଲଢ଼େଇ ମଇଦାନକୁ ଓହ୍ଲାଇଛନ୍ତି ପ୍ରଶାସନିକ ଅଧିକାରୀ। ଗ୍ରାମ ସ୍ୱରାଜ ଅଭିଯାନ ଅନ୍ତର୍ଗତ ଆକାଂକ୍ଷା ଜିଲ୍ଲାରେ ନୂଆ ଉଜ୍ୱଳା ସଂଯୋଗ ପାଇଁ ସହଯୋଗ କରିବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଲେଖିଛନ୍ତି ପେଟ୍ରୋଲିୟମ ମନ୍ତ୍ରାଳୟର ସଚିବ। ହିତାଧିକାରୀଙ୍କ KYC ସଂଗ୍ରହ ସହ ଜାତିଗତ ପ୍ରମାଣ ପତ୍ର ଦେବାକୁ ଜିଲ୍ଲା ପ୍ରଶାସନର ସହଯୋଗ ଲୋଡିଛନ୍ତି।

ଏହାର ଜବାରେ ମୁଖ୍ୟ ଶାସନ ସଚିବ ଲେଖିଛନ୍ତି, ଉଜ୍ୱଳାର ସଫଳ ରୁପାୟନ ପାଇଁ ରାଜ୍ୟ ସରକାଙ୍କ ଭୂମିକା ଗୌଣ। ମୁଖ୍ୟ କାମ ଅଏଲ ମାର୍କେଟିଂ କମ୍ପାନୀଙ୍କର ବୋଲି କହି ନିଜ ଦାୟିତ୍ୱ ଖସାଇ ଦେଇଛନ୍ତି। ପ୍ରଥମ ଚିଠିରେ ପେଟ୍ରୋଲିୟମ ସଚିବ ଲେଖିଛନ୍ତି, ୧୦ ଆକାଂକ୍ଷା ଜିଲ୍ଲାର ଜିଲ୍ଲାପାଳ ଓ ଅଏଲ ମାର୍କେଟିଂ କମ୍ପାନୀ ଅଧିକାରୀଙ୍କ ସହ ବୈଠକ କରି ମୁଖ୍ୟ ସଚିବ ପ୍ରଶାସନିକ ସମସ୍ୟାର ସମାଧାନ କରନ୍ତୁ। ଏପଟେ ମୁଖ୍ୟ ସଚିବ ଲେଖିଛନ୍ତି ସେମିତି କିଛି ସମସ୍ୟା ନାହିଁ। ଯାହା ରାଜ୍ୟ ସରକାରଙ୍କ ହସ୍ତକ୍ଷେପ  ଜରୁରୀ। ଉଜ୍ୱଳାକୁ ରାଜ୍ୟରେ ଆଗକୁ ନେଉଥିବା ଖାଦ୍ୟ ଯୋଗାଣ ବିଭାଗର ମନ୍ତ୍ରୀ କହିଛନ୍ତି, ଏହା କେନ୍ଦ୍ର ସରକାରଙ୍କ ଯୋଜନା, ସେଥିରେ ଯାହା ଭୁଲ୍‌ ଭଟକା ରହିଛି ସେ ବୁଝିବେ।

ଗ୍ରାମ ସ୍ୱରାଜ ଅଭିଯାନ ଅନ୍ତର୍ଗତ ଆକାଂକ୍ଷା ଜିଲ୍ଲା ପାଇଁ ସୋସିଓ ଇକୋନୋମିକ୍ ସେନ୍‌ସସ୍‌ ସର୍ଭେ ବାଦ୍ କିଛି ନୂଆ ମାପଦଣ୍ଡ ଯୋଡ଼ି ଉଜ୍ୱଳା ହିତାଧିକାରୀ ବାଛୁଛନ୍ତି କେନ୍ଦ୍ର ସରକାର। ଏଥିରେ ସବୁ ଅନୁସୁଚିତ ଜାତି, ଜନଜାତି, ଜଙ୍ଗଲରେ ରହୁଥିବା ଅଧିବାସୀ ଓ ସବୁଠୁ ପଛୁଆ ବର୍ଗକୁ ସାମିଲ କରିବାପାଇଁ ଗାଇଡ୍‌ ଲାଇନ୍‌ ରହିଛି। ଏହାକୁ ବିଚାରକୁ ନେଇ ୧୦ ଜିଲ୍ଲାରେ ୩ ଲକ୍ଷ ୪୫ ହଜାର ୧୬୮ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କ ଭିତରୁ ୨ ଲକ୍ଷ ୬୦ ହଜାର ହିତାଧିକାରୀଙ୍କ KYC ସରିଥିବା ବେଳେ ମାତ୍ର ୪୨ ପ୍ରତିଶତ ଅର୍ଥାତ ୧ ଲକ୍ଷ ୪୪ ହଜାର ହିତାଧିକାରୀଙ୍କୁ ସଂଯୋଗ ଦିଆଯାଇଛି। ଏସବୁ ଜିଲ୍ଲାରେ  କାମ ତ୍ୱାରାନ୍ୱିତ ପାଇଁ ଅଧିକ ଡିଲର ନିଯୁକ୍ତି ପାଇଁ ମୁଖ୍ୟଶାସନ ସଚିବ ପରାମର୍ଶ ଦେଇଛନ୍ତି। କିନ୍ତୁ ମୁଖ୍ୟ ଶାସନ ସଚିବଙ୍କ ଚିଠିରେ ରାଜନୀତିର ଗନ୍ଧ ବାରିଛି ବିଜେପି। ବିଜେଡି ଉଜ୍ୱଳାକୁ କେବଳ ପ୍ରଚାର ସର୍ବସ୍ୱ କହିଥିବା ବେଳେ କଂଗ୍ରେସ ଉଭୟଙ୍କୁ ସମାଲୋଚନା କରିଛି।

ରାଜ୍ୟରେ ୩୦ ଲକ୍ଷ ୪୮  ହଜାର ହିତାଧିକାରୀଙ୍କୁ ଉଜ୍ୱଳାରେ ଗ୍ୟାସ ଦିଆଯାଇଛି। ତେବେ ଯେତିକି ଲୋକ ଏହା ନେଇଛନ୍ତି, ରିଫିଲ ବେଳେ ତାହା ଢେର କମିଛି। ଏହାକୁ ଏକ ବିଫଳ ଯୋଜନା ବୋଲି ଅଭିଯୋଗ କରି ବିଜେଡି କେନ୍ଦ୍ରକୁ ଟାର୍ଗେଟ କରିବା ପରେ ବିଜେଡି- ବିଜେପି ମୁହାଁମୁହିଁ ହୋଇଛନ୍ତି।

You might also like