ଥମୁନି ଅଜଣା ପୋକ ଆତଙ୍କ

ଭୁବନେଶ୍ୱର : ଥମୁନି ଅଜଣା ପୋକ ଆତଙ୍କ। ଭୁବନେଶ୍ୱର ମଙ୍ଗଳା ବସ୍ତିରେ ଏବେବି ବୁଲୁଛନ୍ତି ମାଳ ମାଳ ପୋକ। ପ୍ରଶାସନ ବି ନାଚାର। ଏହାରି ଭିତରେ ଓୟୁଏଟିର ଏକ ବିଶେଷଜ୍ଞ ଦଳ ଚନ୍ଦକା ଜଙ୍ଗଲକୁ ଯାଇ ପୋକଙ୍କ ନମୁନା ସଂଗ୍ରହ କରିଛି।

ଚନ୍ଦକାର ଶହ ଶହ ଏକର ଅଞ୍ଚଳରେ ବାଉଁଶ ଧାନ ହୋଇଥିବାରୁ ଏହାକୁ ଖାଇବା ପାଇଁ ପୋକ ଆସୁଛନ୍ତି ଏବଂ ବଂଶବିସ୍ତାର କରୁଥିବା ଓୟୁଏଟି ଅଧିକାରୀ କହିଛନ୍ତି । ପ୍ରତି ୩୦ରୁ ୪୦ ବର୍ଷରେ ବାଉଁଶ ଗଛରେ ଧାନ ହୋଇଥାଏ। ଏହି ସମୟରେ ଏ ପ୍ରଜାତିର ପୋକ ଅଧିକ ଦେଖାଯାନ୍ତି; ମାତ୍ର ଚଳିତବର୍ଷ ଏପ୍ରଜାତିର ପୋକ ସଂଖ୍ୟା ଅତ୍ୟନ୍ତ ଅଧିକ ରହିଛି। ଯାହାକୁ ମାରିବା ଲାଗି ରାସାୟନିକ ସ୍ପ୍ରେ ଏକମାତ୍ର ଉପାୟ।

ମାତ୍ର ଏହାଦ୍ୱାରା ଜଙ୍ଗଲ ଓ ଜନବସତି କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଥିବାରୁ ଓୟୁଏଟି ବିଶେଷଜ୍ଞ ଟିମ୍ ଏ ପଦ୍ଧତିକୁ ଗ୍ରହଣ କରିନି। ତେବେ ବର୍ତ୍ତମାନ ଖାଦ୍ୟ ସରିଆସିବାରୁ ଏବଂ ଖରା ବଢୁଥିବାରୁ ପୋକ ସଂଖ୍ୟା କମିଲାଣି। ଆଉ କିଛି ଦିନ ପରେ ପୋକ ଉପଦ୍ରବ କମିଯିବ ବୋଲି ବିଶେଷଜ୍ଞ ଟିମ୍ କହିଛି। ସେହିପରି ଏଭଳି ମଧ୍ୟ ଘଟଣା ସାରା ଭାରତରେ ବିରଳ।

ଅପରପକ୍ଷରେ ଏ ପୋକ କ୍ଷତିକାର ନହେଲେ ମଧ୍ୟ ଜନବସତି ଭିତରକୁ ଆସି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ପୂର୍ବରୁ ବିଏମ୍‌ସି ପକ୍ଷରୁ ବସ୍ତିରେ ସ୍ପ୍ରେ କରାଯାଇଛି। ମାତ୍ର ଏହାଫଳପ୍ରଦ ହେଉନାହିଁ। ଘର ବାହାର ସବୁଠି ପୋକ ସାଲୁବାଲୁ। ଯାହକୁ ନେଇ ବସ୍ତିବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି।

ବିଶେଷଜ୍ଞ ଟିମ୍ କହୁଛି ଆଉ କିଛି ଦିନ ପରେ ଆପେ ଆପେ ପୋକ ଉପଦ୍ରବ କମିଯିବ। ତେବେ କେବେ ପୋକ କମିବ ତାକୁ ନେଇ ପ୍ରଶ୍ନବାଚୀ।

You might also like