କର୍ଣ୍ଣାଟକ ହାଇଡ୍ରାମାର ନାଟକୀୟ ଯବନିକା ; ଇସ୍ତଫା ଦେଲେ ୟେଦ୍ୟୁରପ୍ପା

ବେଙ୍ଗାଲୁରୁ : କର୍ଣ୍ଣାଟକ ହାଇଡ୍ରାମାରେ ନାଟକୀୟ ଯବନିକା ପଡ଼ିଛି। ଶପଥ ନେବାର ଦୁଇ ଦିନ ପରେ ଇସ୍ତଫା ଦେଇଛନ୍ତି ୟେଦ୍ୟୁରପ୍ପା I ଆସ୍ଥା ଭୋଟ୍ ପୂର୍ବରୁ ଗୃହରେ ଇସ୍ତଫା ଘୋଷଣା କରିଛନ୍ତି ୟେଦ୍ୟୁରପ୍ପା। ସେ ରାଜ୍ୟପାଳଙ୍କୁ ଯାଇ ତାଙ୍କର ଇସ୍ତଫା ପତ୍ର ଦେବେ ବୋଲି ଗୃହରେ ପ୍ରକାଶ କରିଥିଲେ। ସେ ତାଙ୍କ ଅଭିଭାଷଣରେ କଂଗ୍ରେସକୁ ତୀବ୍ର ସମାଲୋଚନା କରିବା ସହ ଗାଁ ଗାଁ ଯାଇ ଲୋକଙ୍କୁ ବୁଝାଇବେ ବୋଲି କହିଥିଲେ।

ଆଜି କର୍ଣ୍ଣାଟକ ବିଧାନସଭାରେ ଆସ୍ଥା ଭୋଟ୍ ହେବାର ଥିଲା। ଯଦିଓ ଫ୍ଲୋର ଟେଷ୍ଟରେ ପାସ୍ ହେବେ ବୋଲି ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପା ଦମ୍ଭୋକ୍ତି ପ୍ରକାଶ କରୁଥିଲେ, ତେବେ ସଂଖ୍ୟା ଖେଳରେ ପଛରେ ରହିଥିଲା ବିଜେପି। ସେଥିପାଇଁ ୟେଦିଙ୍କ ଶପଥ ଗ୍ରହଣ ସମାରୋହକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହା ଆସି ନଥିଲେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିଲା। ୟେଦ୍ୟୁରପ୍ପାଙ୍କ ଇସ୍ତଫା ପରେ ଏହା ଗଣତନ୍ତ୍ରର ବିଜୟ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଦରମୈୟା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

କର୍ଣ୍ଣାଟକରେ ଏଥର ୨୨୨ ଆସନରେ ଅନୁଷ୍ଠିତ ନିର୍ବାଚନ ଫଳାଫଳ ଅନୁସାରେ ବିଜେପିକୁ ୧୦୪, କଂଗ୍ରେସ୍‌କୁ ୭୮ ଓ ଜେଡିଏସ୍‌କୁ ମିଳିଛି ୩୮ ଆସନ।  ଅନ୍ୟାନ୍ୟ ପାଇଛନ୍ତି ୨ଟି ଆସନ।