ମଦ ପିଇ ବୋମା ମାଡ଼ କଲେ, ନିଜ ବୋମାରେ ନିଜେ ଆହତ ହେଲେ

ନୟାଗଡ଼: ବୋମା ମାଡ଼ କରି ଉଡ଼ାଇଦେବାର ପ୍ଲାନିଂ। ତିନି ଜଣ ଯୁବକ ମାତାଲ୍‌ ହୋଇ ବୋମା ଧରି ଜଣେ ଯୁବକଙ୍କୁ ଖୋଜି ଖୋଜି ବିଭିନ୍ନ ଜାଗାରେ ବୋମାମାଡ଼ କରି ଆତଙ୍କ ଖେଳାଇଦେଲେ ଓ ଶେଷରେ ନିଜ ବୋମାରେ ନିଜେ ଆହତ ହେଲେ। ଆଉ ବିନା ଦୋଷରେ ଜଣ ପଥଚାରୀ ବି ଆହତ ହେଲେ। ଗତକାଲି ରାତିରେ ଏମିତି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଞ୍ଚଳରେ।

ସୂଚନା ଅନୁସାରେ, କୋମଣ୍ଡର ଜଣେ ଯୁବକ ଗତ ରାତିରେ ବେଲଗୁଣ୍ଠାର ବଳିଆ ପଣ୍ଡାଙ୍କୁ ଫୋନ୍‌ରେ ଧମକ ଦେଇଥିଲା। ଧମକ ଦେଇଥିବା ଉକ୍ତ ଯୁବକଙ୍କ ପରିଚୟ ଜଣାପଡ଼ିନାହିଁ। ବଳିଆପଣ୍ଡା ଏ ସମ୍ପର୍କରେ ଶରଣକୁଳର ତାଙ୍କର ସହଯୋଗୀ ରାମଚନ୍ଦ୍ର ହୋତା ଓ ଅନ୍ୟ ଜଣେ ବନ୍ଧୁଙ୍କୁ କହିଥିଲେ। ଫୋନ୍‌ରେ ଧମକ ଦେଇଥିବା କୋମଣ୍ଡର ଉକ୍ତ ଯୁବକଙ୍କୁ ବୋମାମାଡ଼ କରି ଉଡ଼ାଇ ଦେବାକୁ ସେମାନେ ପ୍ଲାନିଂ କଲେ। ପରେ ତିନିହେଁ ଏକାଠି ମଦ ପିଇ ଏକ ବାଇକ୍‌ରେ ଆସି ରଙ୍ଗଣିପାଟଣା, ମକରପଦା ଓ କୋମଣ୍ଡରେ ବୋମାମାଡ଼ କରିଥିଲେ। କିନ୍ତୁ କୋମଣ୍ଡରେ ଫିଙ୍ଗିଥିବା ବୋମାରେ ସେମାନେ ନିଜେ ଆହତ ହେଲେ। ଆଉ ସେଇ ରାସ୍ତା ଦେଇ ଯାଉଥିବାର ଜଣେ ପଥଚାରୀ ରାଜକିଶୋର ସାହୁ ମଧ୍ୟ ଆହତ ହେଲେ।

ଏହି ଘଟଣାରେ ପୁଲିସ ବୋମାମାଡ଼ କରି ଆହତ ହୋଇଥିବା ଦୁଇ ଯୁବକ ବଳିଆ ପଣ୍ଡା ଓ ରାମଚନ୍ଦ୍ର ହୋତାଙ୍କୁ ଗିରଫ କରିଛି । ଅନ୍ୟ ଜଣେ ଯୁବକ ଫେରାର ଅଛି।

ବୋମାମାଡ଼ରେ ଗୁରୁତର ହୋଇଥିବା ପଥଚାରୀ ରାଜକିଶୋର ସାହୁଙ୍କୁ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ପୁଲିସ୍‌ ଘଟଣାର ତଦନ୍ତ ଚଳାଇଛି।

You might also like