ଧରାପଡ଼ିଲା ସରକାରଙ୍କ ଡାହା ମିଛ

ଭୁବନେଶ୍ୱର :ସାମ୍ନାକୁ ଆସିଲା ମଝି ଚିଲିକାରେ ଡଙ୍ଗାବୁଡ଼ି ୬ ଜଣଙ୍କ ମୃତ୍ୟୁ ପଛର ସାଂଘାତିକ ସତ। ମରଣ ମୁହଁରୁ ବର୍ତ୍ତିଯାଇଥିବା ଯାତ୍ରୀଙ୍କ ବୟାନ ରାଜ୍ୟ ସରକାରଙ୍କ ମିଛକୁ ପଦାରେ ପକାଇଛି। କାରଣ ଦୁର୍ଘଟଣାଗ୍ରସ୍ତ ଡଙ୍ଗାରେ ନ ଥିଲା କୌଣସି ସୁରକ୍ଷା ବ୍ୟବସ୍ଥା। ଫଳରେ ଚିଲିକା ପାଣିରେ ଲିଭିଗଲା ଛଅ ଛଅଟି ଜୀବନଦୀପ । ଏପଟେ ଦୁର୍ଘଟଣାର କାରଣକୁ ନେଇ ସଚିବ ଏବଂ ମନ୍ତ୍ରୀଙ୍କ ତଥ୍ୟରେ ତାଳମେଳ ରହୁନି। ଆଉ ଏବେ ଚୋର ଗଲା ପରେ ବୁଦ୍ଧି ପଶିଲା ଭଳି ସରକାର ଘୋଷଣା କରିଛନ୍ତି ପଦକ୍ଷେପ।

ପ୍ରାଣ ହରାଇଥିବା ୪ ବର୍ଷର ପୁଅ ସୁଧାଂଶୁଙ୍କ ବାପା ଶ୍ରୀନିବାସଙ୍କ ବୟାନ୍ ଦର୍ଶାଇଛି କାଳିଜାଈ ଦର୍ଶନ କରି ଫେରିବାବେଳେ ୬ଜଣଙ୍କୁ କେମିତି ଗ୍ରାସିଲା ଅକାଳମୃତ୍ୟୁ। ଆଉ କେମିତି ଚରମ ଅବହେଳା ଓ ଦାୟିତ୍ୱହୀନ କାର୍ଯ୍ୟ କରିଥିଲେ ଡଙ୍ଗା ଚାଳକ। ଆଜି ବି ଜଳଜଳ ହୋଇ ତାଙ୍କ ମନରେ ଭାସିଯାଉଛି ସେଦିନର ମର୍ମନ୍ତୁଦ ଦୁର୍ଘଟଣାର ଚିତ୍ର।

ଡଙ୍ଗାରେ ନଥିଲା କୌଣସି ଲାଇଫ୍ ଜ୍ୟାକେଟ୍ କିମ୍ବା ନଥିଲା ଲାଇଫ୍‌ବୟ। ଦୁର୍ଘଟଣା ସମୟରେ ଡଙ୍ଗା ଓଲଟିବାବେଳେ ଜୀବନ ବଞ୍ଚାଇବାକୁ ଚିତ୍କାର କରିବା ସହ ସୁରକ୍ଷା ମାଗିଥିଲେ ଯାତ୍ରୀ। କିନ୍ତୁ, ଡଙ୍ଗାରେ କୌଣସି ସୁରକ୍ଷା ବ୍ୟବସ୍ଥା ନଥିବାରୁ ହାତଟେକିଦେଇଥିଲେ ଡଙ୍ଗା ଚାଳକ। ପରିଣାମ ସ୍ୱରୂପ କାଳିଜାଈ ଗଣ୍ଡର ଅକାତକାତ ପାଣିରେ ବୁଡ଼ି ମରିଲେ ୬ ପର୍ଯ୍ୟଟକ। କିନ୍ତୁ ଗତକାଲି ପରିବହନ ସଚିବ କହିଥିଲେ ଡଙ୍ଗାରେ ୨୦ଟି ଲାଇଫ୍ ଜ୍ୟାକେଟ୍ ଥିଲା ଏବଂ ଝଡ଼ତୋଫାନ ଯୋଗୁ ହିଁ ଏଭଳି ଦୁର୍ଘଟଣା ଘଟିଲା । ଆଜି କିନ୍ତୁ ମନ୍ତ୍ରୀଙ୍କ ପ୍ରତିକ୍ରିୟା ଗୁମର ଖୋଲିଛି। ପରିବହନ ମନ୍ତ୍ରୀ ଆଜି କହିଛନ୍ତି କେବଳ ପବନ ନୁହେଁ, ଦୁର୍ଘଟଣାଗ୍ରସ୍ତ ଡଙ୍ଗାରେ କଣା ଥିଲା। ତେବେ ପ୍ରଶ୍ନ ସଚିବ ଏବଂ ମନ୍ତ୍ରୀଙ୍କ ଏଭଳି ଭିନ୍ନ ଭିନ୍ନ ତଥ୍ୟ କାହିଁକି ? ପରିବହନ ସଚିବ କାହାକୁ ଘଣ୍ଟ ଘୋଡାଇବା ପାଇଁ ଡଙ୍ଗାରେ କଣାଥିବା ତଥ୍ୟ ଲୁଚାଇଥିଲେ ?

ଏପଟେ ଦୁର୍ଘଟଣା ପରଠୁଁ ଚିଲିକା କୂଳ ଖାଁ ଖାଁ । ବନ୍ଦ ରହିଛି ଯାତ୍ରୀ ପରିବହନ ବ୍ୟବସ୍ଥା । କୂଳରେ ପଡ଼ିରହିଛି ଆଖିଦୃଶିଆ ଲାଇଫ୍ ଜ୍ୟାକେଟ୍ ଓ ଲାଇଫ୍‌ବୟ ଥିବା ଶହ ଶହ ଡଙ୍ଗା । ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ଆଳରେ ସପ୍ତାହେ ହେଲାଣି ନୌସେବାକୁ ବନ୍ଦ ରଖିଛି ପ୍ରଶାସନ। ଫଳରେ କାଳିଜାଈ ଦର୍ଶନ କରିନପାରି ନିରାଶ ହେଇଫେରିଯାଉଛନ୍ତି ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକ। ସପ୍ତାହେ ହେଲାଣି ଜୀବିକା ବନ୍ଦ ରହିଥିବାରୁ ଡଙ୍ଗା ଚାଳକ ବି ଚିନ୍ତାରେ ।

ଚିଲିକା ଟ୍ରାଜେଡି ପାଇଁ ଏଯାଏଁ କେବଳ ଡଙ୍ଗାଚାଳକ ଓ ମାଲିକକୁ ହିଁ ଦାୟୀ କରାଯାଇଛି, ହେଲେ ଯେଉଁ ସରକାରୀବାବୁମାନେ ଏବ୍ୟବସ୍ଥାକୁ ବର୍ଷ ବର୍ଷ ଧରି ଅଣଦେଖା କରିଆସୁଛନ୍ତି, ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଜରୁରୀ ନୁହେଁ କି, ଏ ପ୍ରଶ୍ନ ଏବେ ବି ଅସମାହିତ ହୋଇରହିଛି।

You might also like