ରାଜଧାନୀରେ ସଂକ୍ରମଣ ବଢ଼ୁଛି, ହାଟ ସ୍ଥାନାନ୍ତର କଲା ବିଏମସି

ଭୁବନେଶ୍ୱର:‌ ରାଜ୍ୟରେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ୁଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସ୍ଥିତି ଗମ୍ଭୀର। ତେଣୁ ଏହାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ବିହିତ ପଦକ୍ଷେପ ନିଆଯାଉଛି। ରାଜଧାନୀର ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କ ମଧ୍ୟରୁ ହାଟ ହେଉଛି ଅନ୍ୟତମ। ତେଣୁ ପୂର୍ବ ବର୍ଷ ଭଳି ହାଟ ଗୁଡ଼ିକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

ସଂକ୍ରମଣ ବଢ଼ୁଥିବାରୁ ରାଜଧାନୀର ପ୍ରମୁଖ ହାଟ ଗୁଡ଼ିକୁ ସ୍ଥାନାନ୍ତର କରାଯାଇଛି। ସୋମବାରଠାରୁ ୟୁନିଟ-୧ ହାଟ ୟୁନିଟ-୧ ହାଇସ୍କୁଲ ପଡ଼ିଆକୁ ସ୍ଥାନାନ୍ତରିତ ହେବ। ସେହିଭଳି ବ୍ରହ୍ମେଶ୍ୱର ହାଟ ବ୍ରହ୍ମେଶ୍ୱର ମେଳଣ ପଡ଼ିଆକୁ ସ୍ଥାନାନ୍ତର ହେବ। ଲିଙ୍ଗରାଜ ହାଟ ବିଏମସି ମାର୍କେଟ କମ୍ପ୍ଲେକ୍ସକୁ ଉଠିଯିବ ବୋଲି ବିଏମସି ପକ୍ଷରୁ ସ୍ଥିର ହୋଇଛି । ତେବେ ଗୁରୁବାର ଦିନ ୟୁନିଟ-୪ ହାଟ ଶାସ୍ତ୍ରୀ ନଗର ଓ ରେଡକ୍ରସ ସମ୍ମୁଖ ରାସ୍ତାକୁ ଉଠିସାରିଛି। ଗତ ବର୍ଷ ମଧ୍ୟ ଏଭଳି ନିଷ୍ପତି ନିଆଯାଇଥିଲା। ହାଟ ଗୁଡ଼ିକୁ ଖୋଲା ସ୍ଥାନକୁ ସ୍ଥାନାନ୍ତର କରାଗଲେ ଗୋଟିଏ ସ୍ଥାନରେ ଲୋକଙ୍କ ଭିଡ଼ କମ୍ ରହିବ। ଯାହା ଫଳରେ ସଂକ୍ରମଣ ଆଶଙ୍କା କମିବ ବୋଲି ଆଶା କରାଯାଉଛି।

ଅନ୍ୟପଟେ ଗୁରୁବାର ଭୁବନେଶ୍ୱର ମହାନଗରରୁ ୫୯୦ ପଜିଟିଭ ମାମଲା ଚିହ୍ନଟ ହୋଇଛି। ୫୯୦ ପଜିଟିଭ ମାମଲା ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୩୦ ଏବଂ ସ୍ଥାନୀୟ ଅଞ୍ଚଳରୁ ୪୬୦ ଜଣ ଚିହ୍ନଟ ହୋଇଛନ୍ତି।

ତେବେ ପଟିଆରେ କ୍ୱାରେଣ୍ଟାଇନରୁ ୧୧ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୪୬ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି ପୁରୁଣା ଭୁବନେଶ୍ୱରରୁ ୪୧, ପୋଖରୀପୁଟରୁ ୨୧ ଜଣ ଚିହ୍ନଟ ହୋଇଥିବା ବେଳେ ଟଙ୍କପାଣି ରୋଡରୁ ୧୨, ସୁନ୍ଦରପଦାରୁ ୧୦ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି ସତ୍ୟନଗର ଅଞ୍ଚଳରୁ ଓ ନୟାପଲ୍ଲୀ ଅଞ୍ଚଳରୁ ୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଅନ୍ୟପଟେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୬ହଜାର୧୬୪ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ସହ ୭ ଜଣଙ୍କ ମୃତ୍ୟୁ ଘଟିଛି। ତେଣୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ରାପିଡ଼ ରେସ୍ପନସ ଟିମ ବା RRT ସଂଖ୍ୟା ବଢ଼ାଯାଇଛି। ବିଏମସିର ୬୭ଟି ଓ୍ୱାର୍ଡ ପାଇଁ ୩୯ ଟିମ୍ ଗଠନ ହୋଇଛି। ପ୍ରତି ଜୋନ ପାଇଁ ୧୩ଟି ଲେଖାଏଁ ଟିମକୁ ଦାୟିତ୍ୱ ଦିଆଯାଇଛି । ପ୍ରତି ଟିମରେ ଅଛନ୍ତି ଜଣେ ଡାକ୍ତର, ଜଣେ କୋଭିଡ ସଚେତକ ଓ ଏଏନ୍ଏମ । ଏହି ଟିମ୍‌ ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା, ତଥ୍ୟ ସଂଗ୍ରହ ଓ ଔଷଧ ବାଣ୍ଟିବା କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ଏହି ଟିମ୍ ପ୍ରତି ଜୋନରେ ଅଛନ୍ତି ଗୋଟିଏ ସ୍ୱତନ୍ତ୍ର ସେଣ୍ଟ୍ରାଲ ଟିମ୍। ସୋସିଆଲ ମିଡିଆ ଓ ହ୍ୱାଟସଆପ୍ ଗ୍ରୁପ ଜରିଆରେ ସ୍ଥିତିକୁ ନିୟନ୍ତ୍ରଣ କରୁଛନ୍ତି ।

You might also like