ପୁଣି ଝଡ଼ାଫୁଙ୍କା ଅନ୍ଧବିଶ୍ୱାସ

ସାପ କାମୁଡ଼ି ଥିବା ମହିଳାଙ୍କୁ ଡାକ୍ତରଖାନା ସମ୍ମୁଖରେ ଗୁଣିଅାର ଚିକିତ୍ସା

ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ ପୁଣି ସାପ କାମୁଡ଼ାରେ ଗୁରୁତର ମହିଳାଙ୍କୁ ଝଡ଼ାଫୁଙ୍କା । ଛେଣ୍ଡିପଦା ବ୍ଲକ୍‌ ମାମୁରିଅା ଗାଁରୁ ଅାସିଛି ଏହି ଅଭିଯୋଗ। ମିଳିଥିବା ସୂଚନା ଅନୁଯାୟୀ, ଗାଁର ଝୁନା ଭୁତିଅା ନାମକ ଜଣେ ମହିଳାଙ୍କୁ ଅାଜି ସକାଳେ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା । ଏହାପରେ ପରିବାର ଲୋକେ ତାଙ୍କୁ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ।

କିନ୍ତୁ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେବାକୁ ପରାମର୍ଶ ଦେଇଥିଲେ। ମାତ୍ର ପରିବାର ଲୋକେ ଅନୁଗୁଳ ଡାକ୍ତରଖାନାକୁ ନନେଇ ଛେଣ୍ଡିପଦା ଚାରିବାଟିଅା ଅଞ୍ଚଳର ଜଣେ ଗୁଣିଅାଙ୍କୁ ଡାକି ଝଡ଼ାଫୁଙ୍କା କରୁଥିବା ଦେଖିବାକୁ ମିଳିଥିଲା।

ଏହାପରେ ସଂପୃକ୍ତ ମହିଳାଙ୍କୁ ପରିବାର ଲୋକେ ଘରକୁ ଫେରାଇ ନେଇଯାଇଥିବା ସୂଚନା ମିଳିଛି। ଚଳିତ ମାସ ୨ ତାରିଖରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ। ସାପ କାମୁଡ଼ାର ଶୀକାର ଛେଣ୍ଡିପଦା ଥାନାର ଜଣେ ମହିଳା କନେଷ୍ଟବଳଙ୍କୁ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୁଣିଅା ଦ୍ୱାରା ଝଡ଼ାଫୁଙ୍କା କରାଯାଉଥିଲା ।

ସେହିପରି ଗତ ୧୮ ତାରିଖରେ ଛେଣ୍ଡିପଦା ବଜେଡିଅା ଗାଁର ରିଙ୍କି ବାରିକ ନାମକ ଜଣେ ମହିଳା ସାପ କାମୁଡ଼ାରେ ମୃତ୍ୟୁବରଣ କରିଥିବାବେଳେ ତାଙ୍କୁ ବଞ୍ଚାଇବାକୁ ଯାଇ ଛେଣ୍ଡିପଦା ମେଡ଼ିକାଲ ପରିସରରେ ଗୁଣିଅା ଝଡ଼ାଫୁଙ୍କା କରିଥିବା ଦେଖିବାକୁ ମିଳିଥିଲା।

You might also like