ବର୍ଷାରେ ବେହାଲ ରାଜଧାନୀ: NHAIକୁ ଚିଠି ଲେଖିଲା ବିଏମ୍‌ସି

ଭୁବନେଶ୍ୱର: ଗତକାଲି କିଛି ଘଣ୍ଟାର ବର୍ଷା ପରେ ଭୁବନେଶ୍ୱରରେ ପାଣି ଜମିବା ଘଟଣାକୁ ନେଇ NHAI ଉପରେ ଦୋଷ ଲଦିଛି ବିଏମ୍‌ସି। NHAIକୁ ଚିଠି ଲେଖି ନିଜ ମୁଣ୍ଡରୁ ଦୋଷ ଖସେଇଛି ବିଏମ୍‌ସି।

NHAI କର୍ତ୍ତୃପକ୍ଷ କଲଭର୍ଟ ସଫା ଓ ମରାମତି କରୁ ନ ଥିବାରୁ ପାଣି ଜମି ଲୋକେ ହଇରାଣ ହେଉଛନ୍ତି। ୪ ବର୍ଷ ଧରି ଅବଗତ ପରେ ମଧ୍ୟ ପଦକ୍ଷେପ ନିଆଯାଉ ନ ଥିବାରୁ ଏନେଇ ପୁଣି ଚିଠି ଲେଖି ଅନୁରୋଧ କରିଛି ବିଏମ୍‌ସି।

ଜଳ ନିଷ୍କାସନରେ ସମସ୍ୟା ଯୋଗୁଁ ବର୍ଷାରେ ଗତକାଲି ଭାସିଥିଲା ଭୁବନେଶ୍ୱର। ଗତକାଲି ଦିନ ବେଳା ପ୍ରାୟ ଦେଢ଼ ଘଣ୍ଟାର ମୂଷଳ ଧାରାର ବର୍ଷାରେ ବେହାଲ ହୋଇଯାଇଥିଲା ରାଜଧାନୀର ସ୍ଥିତି। ଆଉ ରାସ୍ତାରେ ସୃଷ୍ଟି ହୋଇଥିଲା ଜଳାର୍ଣ୍ଣବ ପରିସ୍ଥିତି।

ଏପରିକି ଇସ୍କନ ମନ୍ଦିର ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ବନ୍ୟାର ଭ୍ରମ ସୃଷ୍ଟି ହୋଇଥିଲା। ଜଳ ନିଷ୍କାସନ ହୋଇ ନ ପାରିବାରୁ କାର୍, ଅଟୋ ଭଳି ବହୁ ଗାଡ଼ି ଭାସୁଥିବା ଦେଖିବାକୁ ମିଳିଥିଲା। ଏପରିକି ରାସ୍ତାରେ ପାଣି ଜମି ରହିବାରୁ ଦୀର୍ଘ ସମୟ ଧରି ଯାନବାହନ ଚଳାଚଳ ଠପ୍ ହୋଇଯାଇଥିଲା।

You might also like